ବିଜେପି ବନାମ ଶିବସେନା । କାଲିଯାଏଁ ଏକାଠି ଖଣ୍ଡା ଉଠାଉଥିଲେ, ଏବେ ପରସ୍ପର ବିରୋଧରେ ଚାଲିଛି ଶବ୍ଦର ତୀର । କ୍ଷମତା ଲୋଭରେ ପରସ୍ପର ସହ ବନ୍ଧୁତା, ପୁଣି ଶତ୍ରୁତା ।

248

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗୋଟିଏ ମେଂଟ, ଯାହା ହିନ୍ଦୁତ୍ୱ ବିଚାରଧାରାରେ ଆକାର ନେଇଥିଲା । ୨୦୧୪ ବେଳକୁ ତାହା ଭାଙ୍ଗି ଯାଇଥିଲା କ୍ଷମତାର ସଂଘର୍ଷରେ । ସଂପର୍କ ଥରେ ତୁଟିଯିବା ପରେ ତାକୁ ପୁଣି ଯୋଡିବା, ଧରି ରଖିବା ଓ ସାଙ୍ଗରେ ବୋହିବା କେତେ କଷ୍ଟ, ତାହା ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । କିଏ କହେ ଏହା ରାଜନୀତିର ରୀତି, ତ କିଏ କହେ କ୍ଷମତା ଲୋଭରେ ପରସ୍ପର ସହ ବନ୍ଧୁତା ଓ ପୁଣି ଶତ୍ରୁତା ରାଜନୀତିର ଚିରପରିଚିତ ଧର୍ମ । କାଲିଯାଏଁ ଗୋଟିଏ ମଂଚରେ ଯିଏ ଏକାଠି ଖଣ୍ଡା ଉଠାଉଥିଲେ, ଏବେ ପରସ୍ପର ବିରୋଧରେ ଶବ୍ଦର ତୀର ଚଲାଇବା ଆରମ୍ଭ କରିଦେଇଛନ୍ତି ।

ଶିବସେନା ଓ ବିଜେପିର ମେଂଟ ମହାରାଷ୍ଟ୍ରରେ ସେହି ସମୟର, ଯେତେବେଳେ ପୁରା ଦେଶରେ ନିଜର ଅସ୍ତିତ୍ୱ ଖୋଜୁଥିଲା ଭାରତୀୟ ଜନତା ପାର୍ଟି । ଆଉ ଶିବସେନା ମୁମ୍ବାଇର ଚୌହଦୀ ବାହାରେ ଦୁର୍ବଳ ନଜର ଆସୁଥିଲା । କିନ୍ତୁ ଏବେ ସମୟ କଡ ଲେଉଟାଇଛି, ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀରେ ରାଜ କରୁଛି ବିଜେପି । ଆଉ ଶିବସେନାର ଅଭିଯୋଗ ତାକୁ ତାର ହକ୍ ବି ମିଳିନାହିଁ ।

୨୫ ବର୍ଷ ତଳେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଂଟ ପ୍ରଥମଥର ପାଇଁ କ୍ଷମତାକୁ ଆସିଥିଲେ । ସେତେବେଳେ ସେନା ପ୍ରମୁଖ ବାଲାସାହେବ ଠାକରେ ଦୁଲଜାପୁରରେ ମାଆ ଦୁଲଜା ଦେବୀଙ୍କ ଆରାଧନା କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ । ଏହାର ୨୦ ବର୍ଷ ପରେ ବର୍ତମାନର ସେନା ପ୍ରମୁଖ ଉଦ୍ଧବ ଠାକରେ ମାଆ ଦୁଲଜା ଭବାନୀଙ୍କ ପୀଠରେ ପହଂଚିଲା ବେଳକୁ ବିଜେପି-ଶିବସେନା ମେଂଟରେ ଦେଖା ଦେଇଥିଲା ବିରାଟ ଫାଟ । ଯାହାକୁ ଯୋଡିବା ପାଇଁ ବାରମ୍ବାର ପ୍ରୟାସ ହୋଇଛି, ହେଲେ ୨୦୧୯ ବେଳକୁ ତାହା ବିରାଟ ଘାଇରେ ପରିଣତ ହୋଇସାରିଲାଣି ।

କୁହାଯାଉଛି ମୋଦି ଲହର ଯୋଗୁଁ ୧୬ ମେ ୨୦୧୪ରେ ଆସିଥିବା ଲୋକସଭା ନିର୍ବାଚନ ଫଳାଫଳ ମହାରାଷ୍ଟ୍ରରେ ବିଜେପିର ମହତ୍ୱାକାଂକ୍ଷା ବଢାଇ ଦେଇଥିଲା । ମହାରାଷ୍ଟ୍ରରେ ବିଜେପି ନେତା ଅନୁଭବ କରୁଥିଲେ ଆଉ ଶିବସେନାର କନିଷ୍ଠ ସହଯୋଗୀ ହୋଇ ରହିବା ଆବଶ୍ୟକ ନାହିଁ । କିନ୍ତୁ ଉଦ୍ଧବ ଠାକରେ ଚାହୁଁଥିଲେ, ମହାରାଷ୍ଟ୍ରରେ ସେ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ।

୧୯୮୪ ବେଳକୁ ରାଜୀବ ଗାନ୍ଧୀଙ୍କ ନାଁରେ ସାରା ଦେଶରେ ଏମିତି ଲହର ଚାଲିଥିଲା ଯେ, ବିରୋଧୀ ଛିଡା ହେବାକୁ ବଳ ପାଇନଥିଲେ । ସେତିକିବେଳେ ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ବିଜେପିର ନିର୍ବାଚନୀ ଚିହ୍ନରେ ଭୋଟ ମାଗିଥିଲା ଶିବସେନା । ଫଳାଫଳ ଶୂନ ଆସିଲା ଆଉ ଦୁଇ ଦଳ ଭିତରେ ସଂପର୍କ ସେତିକିରେ ସୀମିତ ରହିଗଲା । ୧୯୮୯ରେ ବିଜେପି ନେତା ପ୍ରମୋଦ ମହାଜନ ମହାରାଷ୍ଟ୍ରରେ ଶିବସେନାକୁ ସାଙ୍ଗରେ ନେଇ ଚାଲିବା ପାଇଁ ବାଲ ଠାକରେଙ୍କୁ ମନାଇ ପାରିଲେ ।

୧୯୯୦ ନିର୍ବାଚନରେ ମେଂଟକୁ ସରକାର ଗଢିବା ପାଇଁ ସଂଖ୍ୟା ତ ମିଳିଲାନି, କିନ୍ତୁ କଂଗ୍ରେସକୁ ଟକ୍କର ଦେବାଲାଗି ଗୋଟିଏ ମଂଚ ପ୍ରସ୍ତୁତ ହୋଇଗଲା । ଆଉ ୧୯୯୫ରେ ଦୁଇଦଳ ସାଙ୍ଗ ହୋଇ କ୍ଷମତା ଦଖଲ କଲେ । ତା ପରଠାରୁ ଏକାଠି ହୋଇ ବିରୋଧୀ ଆସନରେ ବସିଛନ୍ତି । କିନ୍ତୁ କ୍ଷମତା ଦଖଲ କରିବାର ମୌକା ଆସିଲା ବେଳକୁ ଅଲଗା ଅଲଗା ନିର୍ବାଚନକୁ ସାମ୍ନା କରିଛନ୍ତି ୨୦୧୪ରେ । ୨୦୧୯ରେ ଏକାଠି ଲଢି ବି ସରକାରରେ ବସିବାକୁ ସହମତ ହୋଇପାରି ନାହାନ୍ତି ।

ମୁମ୍ବାଇରେ ଅଛି ଶିବସେନା ଦଳୀୟ ମୁଖ୍ୟାଳୟ ମାତୋଶ୍ରୀ । ଯେଉଁଠି ମେଂଟର ମୂଳଦୁଆ ପକାଇଥିଲେ ବିଜେପି ନେତା ପ୍ରମୋଦ ମହାଜନ । ନିଷ୍ପତି ହୋଇଥିଲା ଦିଲ୍ଲୀରେ ବିଜେପି ଓ ମହାରାଷ୍ଟ୍ରରେ ଶିବସେନାର ବଡ ଭୂମିକା ରହିବ । କିନ୍ତୁ ଏବେ ନା ବାଲ ଠାକରେ ଅଛନ୍ତି, ନା ପ୍ରମୋଦ ମହାଜନ । କିନ୍ତୁ ଯିଏ ଅଛନ୍ତି ସେ ତାଙ୍କ ଭୂମିକା ବଦଳାଇବାକୁ ଚାହୁଁଛନ୍ତି ।