୨ଟି ବିଜେପି ଶାସିତ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍: ଅକ୍ଟୋବର ୨୧ରେ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ୍–୨୪ରେ ଆସିବ ୨ ଫଳ

କ୍ଷମତା ବଜାୟ ରଖିବା ଭାରତୀୟ ଜନତା ପାର୍ଟି ପାଇଁ ବଡ଼ ଚ୍ୟାଲେଂଜ

183

କନକ ବ୍ୟୁରୋ: ବିଜେପି ଅକ୍ତିଆରରେ ଥିବା ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ପାଇଁ ନିର୍ବାଚନ ଘୋଷଣା ହୋଇଛି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ହେବ ନିର୍ବାଚନ । ଏହାର ୩ ଦିନ ପରେ ୨୪ ଅକ୍ଟୋବରରେ ହେବ ଭୋଟ୍ ଗଣତି । ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଏନେଇ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୨୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ତାରିଖ ଘୋଷଣା ସହିତ ମହାରାଷ୍ଟ୍ର ଓ ହରିଆଣାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଯାଇଛି ।

ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ରହିଛି ୪ ଅକ୍ଟୋବର । ୫ ତାରିଖରେ ଯାଂଚ ଓ ୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ୨୧ ଅକ୍ଟୋବରରେ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନବିଶ ଓ ହରିୟାଣାର ମନୋହରଲାଲ ଖଟ୍ଟରଙ୍କ ପାଇଁ ହେବ ବଡ ପରୀକ୍ଷା । କାରଣ ଦୁଇ ରାଜ୍ୟରେ ବିଜେପି ରହିଛି ଶାସନ କ୍ଷମତାରେ । ମହାରାଷ୍ଟ୍ରରରେ ୨୮୮ଟି ବିଧାନସଭା ଆସନ ପାଇଁ ୮ କୋଟି ୯୪ ଲକ୍ଷ ଭୋଟର ରହିଛନ୍ତି । ଏହାର ବିଧାନସଭା ଅବଧି ଶେଷ ହେଉଛି ୯ ନଭେମ୍ୱରରେ । ସେହିପରି ହରିୟାଣାର ଭୋଟର ସଂଖ୍ୟା ୧ କୋଟି ୨୮ ଲକ୍ଷ ରହିଛି । ଏହାର ବିଧାନସଭା ଆସନ ସଂଖ୍ୟା ୯୦ ଓ ଏହାର ବିଧାନସଭାର ଅବଧି ୨ ନଭେମ୍ୱରରେ ସରୁଛି । ଏହା ଆଗରୁ ଦୁଇ ରାଜ୍ୟରେ ୨୧ ଅକ୍ଟୋବରରେ କରାଯିବ ଭୋଟ୍ ଗ୍ରହଣ ।

୨ଟି ବିଜେପି ଶାସିତ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍: ଅକ୍ଟୋବର ୨୧ରେ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ୍–୨୪ରେ ଆସିବ ୨ ଫଳ। ୨୪ ଅକ୍ଟୋବରରେ ଦୁଇ ରାଜ୍ୟ ଦେଖିବ ନୂଆ ସରକାର । ଦୁଇ ରାଜ୍ୟର ନିର୍ବାଚନରେ ଇଭିଏମ ସହିତ ଭିଭିପ୍ୟାଟର ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା । ଏଥର ନିର୍ବାଚନରେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଂକା ଖର୍ଚ କରିପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

Comments are closed.