ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାର ଗଠନ ନେଇ ଫିଟୁଛି ବାଟ । ତିନି ଦଳ ଭିତିରେ ସର୍ବନିମ୍ନ କାର୍ଯ୍ୟସୂଚୀ ନେଇ ବୁଝାମଣା

ଏନସିପି ନେତା କହିଲେ ଶିବସେନାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ; କଥା ଦୋହରାଇଲେ ସଞ୍ଜୟ, ଫଡନଭିସଙ୍କୁ ଶରଦଙ୍କ କଟାକ୍ଷ

350

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଶିବସେନା-ଏନସିପି- କଂଗ୍ରେସର ମେଂଟ ସରକାର ଗଠନ ନେଇ ଫିଟୁଛି ବାଟ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ଘନଘନ ବୈଠକ ଚାଲିବା ପରେ ଏବେ ପଥ ପରିସ୍କାର ହେଉଛି । ଏହି ବୈଠକରେ ତିନ ଦଳ ମଧ୍ୟରେ ସର୍ବନିମ୍ନ କାର୍ଯ୍ୟସୂଚନୀକୁ ନେଇ ସହମତି ହୋଇଥିବା ଜଣାପଡିଛି । ଏନସିପିର ବରିଷ୍ଠ ନେତା ନୱାବ ମଲ୍ଲିକ କହିଛନ୍ତି ଶିବସେନାକୁ ପୂର୍ଣ୍ଣକାଳିନ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଶିବସେନାକୁ ଅପମାନିତ କରାଯାଇଛି । ତେଣୁ ଶିବସେନାର ସ୍ୱାଭିମାନର ରକ୍ଷା କରିବା ଏନସିପିର ଦାୟୀତ୍ୱ । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ସହ ୧୬ ମନ୍ତ୍ରୀ ପଦ ମଧ୍ୟ ମିଳିବ । ସେହିପରି କଂଗ୍ରେସ ଓ ଏନସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ସହ ଏନସିପିକୁ ୧୪ ମନ୍ତ୍ରୀ ଓ କଂଗ୍ରେସକୁ ୧୨ ମନ୍ତ୍ରୀ ପଦ ମିଳିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ କଥାକୁ ଦୋହରାଇଛନ୍ତି । କହିଛନ୍ତି ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ହିଁ ସରକାର ଗଠନ ହେବ । ଓ ଶିବସେନାର ହିଁ ମୁଖ୍ୟମନ୍ତ୍ରୀ ହେବ । ତେବେ ତିନି ଦଳଙ୍କ ମଧ୍ୟରେ ହୋଇଥିବା ବୁଝାମଣାରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ସାମିଲ କରାଯାଇନାହିଁ । ସିଏମପିରେ କୃଷକ ଓ ଯୁବକଙ୍କ ସହ ଜଡିତ ମାମଲା ଉପରେ ଫୋକସ କରିବାକୁ ସହମତି ହୋଇଛି । ଆଉ କିଛି ମାମଲାରେ ସହମତି ହୋଇନଥିବା ଜଣାପଡିଛି । ଏହା ଭିତରେ ରହିଛି ଶିବସେନାର ପୁରୁଣା ଦାବି ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ଓ କଂଗ୍ରେସ- ଏନସିପିର ମୁସଲମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବା ଭଳି ଦାବି । କୁହାଯାଉଛି ଏହି ଦୁଇ ପ୍ରସଙ୍ଗରେ ଶିବସେନା ଓ କଂଗ୍ରେସ-ଏନସିପି ମଧ୍ୟରେ ବୁଝାମଣା ହୋଇପାରି ନାହିଁ । ଅନ୍ୟପଟେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ କୋର କମିଟି ବୈଠକ କରିଛି ଭାରତୀୟ ଜନତା ପାର୍ଟି ।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଲାଗି ରହିଥିବା ବିବାଦ ଭିତରେ ଫଡନଭିସଙ୍କୁ କଟାକ୍ଷ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ମୁଖ୍ୟ ଶରଦ ପାୱାର । କହିଛନ୍ତି, ସେ ଦୀର୍ଘଦିନ ହେବ ଦେବେନ୍ଦ୍ର ଫଡନଭିସଙ୍କୁ ଜାଣିଛନ୍ତି । କିନ୍ତୁ ତାଙ୍କୁ ଜ୍ୟୋତିଷଶାସ୍ତ୍ର ଜଣାଥିବା ସେ ଜାଣି ନଥିଲେ । ଏବେ ତାହା ଜାଣିଲେ । ଶିବସେନା-ଏନସିପି- କଂଗ୍ରେସ ମେଂଟ ସରକାର କଲେ ତାହା ୬ମାସ ଚାଲିପାରିବନି ବୋଲି କହିଥିଲେ ଦେବେନ୍ଦ୍ର ଫଡନଭିସ୍ । ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଏଭଳି କହିଛନ୍ତି ଶରଦ ।