ମହାରାଷ୍ଟ୍ରରେ ମହାବିଜୟ । ବାଜି ମାରିଲା ବିଜେପି-ଶିବସେନା ମେଂଟ । ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଛକାପଞ୍ଝା ।

973

କନକ ବ୍ୟୁରୋ : ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି । ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି । ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍ ପୋଲ କରିଥିବା ଅଧିକାଂଶ ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି । ବିଜେପିର ମିଶନ ୨୦୦ ଆସନ ଫେଲ ମାରିଥିବା ବେଳେ ଶିବସେନାର ରେଜଲ୍ଟ ବହୁତ ଭଲ ରହିଛି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିନା ପ୍ରଚାରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଛି ।

ମହାରାଷ୍ଟ୍ରରେ ମହାବିଜୟ । ବାଜି ମାରିଲା ବିଜେପି-ଶିବସେନା ମେଂଟ । ମହାରାଷ୍ଟ୍ରରେ ପୁଣି ସରକାର ଗଢିବାକୁ ଯାଉଛି ବିଜେପି । ଶିବସେନା ସହ ମେଂଟ କରି ନିର୍ବାଚନ ଲଢିଥିବା ବିଜେପିକୁ ବହୁମତ ମିଳିଛି । ମହାରାଷ୍ଟ୍ରର ଜନତା ପୁଣିଥରେ ବିଜେପି-ଶିବସେନା ମେଂଟ ଉପରେ ବିଶ୍ୱାସ ରଖିଛନ୍ତି ।

ତେବେ ମହାରାଷ୍ଟ୍ରରେ ଏଗଜିଟ୍ ପୋଲର ଆକଳନ ଭୁଲ୍ ସାବ୍ୟସ୍ତ ହୋଇଛି । ବିଜେପିର ଆସନ କମିଛି ଏବଂ ବିରୋଧୀ ଦଳର ପ୍ରଦର୍ଶନ ଭଲ ହୋଇଛି । ବଡ କଥା ହେଉଛି ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ମିଶନ ୨୦୦ ପ୍ଲସର ଆହ୍ୱାନ ଦେଇଥିଲା ବିଜେପି । ହେଲେ ତାହା ବହୁ ପଛରେ ରହିଯାଇଛି ।

ଆଉ ଏବେ ପ୍ରଶ୍ନ ଉଠୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ଦେବେନ୍ଦ୍ର ଫଡନବିସ ନା ଆଦିତ୍ୟ ଠାକରେ? ବିଜେପି-ଶିବସେନା ମେଂଟ ବିଜୟୀ ହେବା ପରେ ଏବେ ଦୁଇ ଦଳର ନଜର ମୁଖ୍ୟମନ୍ତ୍ରୀ ଆସନ ଉପରେ । ଫଡନବିସଙ୍କୁ ବିଜେପି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅଂଟା ଭିଡିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶିବସେନା ।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ନିର୍ବାଚନର ସାମ୍ନା କରିଥିଲା ବିଜେପି । ତେବେ ତାହା ବିଶେଷ ପ୍ରଭାବ ପକାଇପାରିନି ଜନତାଙ୍କ ଉପରେ । ସେହିପରି ଆମେରିକାରେ ହାଉଡି ମୋଦି ଭଳି ବଡ ଧରଣର କାର୍ଯ୍ୟକ୍ରମର ଫାଇଦା ବି ମହାରାଷ୍ଟ୍ ବିଧାନସଭା ନିର୍ବାଚନ ଉପରେ ପଡିନାହିଁ । ଯାହା ବିଜେପି ପାଇଁ ସତର୍କ ଘଂଟି ହୋଇଛି ଏବଂ କଂଗ୍ରେସ ଶିବିରରେ ଉତ୍ସାହ ଭରିଦେଇଛି ।

ଜିତିଲେ ଆଦିତ୍ୟ ଠାକରେ, ହାରିଗଲେ ପଙ୍କଜା ମୁଣ୍ଡେ । ଶିବସେନା ନେତା ଆଦିତ୍ୟ ଠାକରେ ୱର୍ଲି ଆସନରୁ ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ପଙ୍କଜା ମୁଣ୍ଡେ ପାର୍ଲି ଆସନରୁ ଏନସିପି ପ୍ରାର୍ଥୀ ଧନଞ୍ଜୟ ମୁଣ୍ଡେଙ୍କ ଠାରୁ ହାରିଯାଇଛନ୍ତି । ବାରାମତି ଆସନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ୧ ଲକ୍ଷ ୬୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି ।