ତେଜିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ ! କେନ୍ଦ୍ର-ଛତିଶଗଡ ବିରୋଧରେ ବିଜେଡିର ରଣହୁଙ୍କାର, କାଲି ୪ ଜିଲ୍ଲାରେ ହରତାଳ

21

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ଶାସକ ବିଜେଡି । ଏହି ପ୍ରସଙ୍ଗରେ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତିବାଦରେ କାଲି ୪ଟି ଜିଲ୍ଲାରେ ୪ ଘଂଟା ପାଇଁ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦେଇଛି ଦଳ । ସମ୍ବଲପୁର, ବରଗଡ, ଝାରୁସୁଗୁଡା ଓ ସୋନପୁର ଜିଲ୍ଲାରେ କାଲି ସକାଳ ୬ଟାରୁ ଦିନ ୧୦ଟା ଯାଏଁ ଜିଲ୍ଲାବ୍ୟାପୀ ହରତାଳର ଆହ୍ୱାନ ଦେଇଛି ବିଜେଡି । ଆଜି ଅପରାହ୍ନ ୪ଟାରେ ସଂପୃକ୍ତ ଜିଲ୍ଲାରେ କେନ୍ଦ୍ର ଓ ଛତିଶଗଡର ଓଡିଶା ପ୍ରତି ଅବିଚାର ପ୍ରତିବାଦରେ ପଥପ୍ରାନ୍ତ ସଭା, ବାଇକ ରାଲି ଓ ଶୋଭାଯାତ୍ରା ହେବ ।

ବିଜେଡି ଅଭିଯୋଗ କରିଛି, ମହାନଦୀକୁ ନେଇ ଜଘନ୍ୟ ଷଡଯନ୍ତ୍ର ଚାଲିଛି । ଛତିଶଗଡର ଅଦୂରଦର୍ଶୀ ପଦକ୍ଷେପ ଓଡିଶା ପାଇଁ କାଳ ହୋଇଛି । ଛତିଶଗଡ ସରକାର ଆଇନର ଉଲ୍ଲଙ୍ଘନ କରି ମହାନଦୀର ପାଣିକୁ ରୋକିଦେବା ଫଳରେ ରାଜ୍ୟରେ ଜଳସଙ୍କଟ ସହ ଜଳସେଚନ ଘୋର ବାଧାପ୍ରାପ୍ତ ହୋଇଛି । ଏ ନେଇ କେନ୍ଦ୍ରୀୟ ଜଳ ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାର ପ୍ରତିବାଦରେ ଏକାଠି ହେବାକୁ ଦଳ ଆହ୍ୱାନ ଦେଇଛି ।