ମହାନଦୀ ପାଇଁ ଜାତୀୟ ସମ୍ମିଳନୀ ! ରମଣ ସିଂ ଓ ନବୀନ ପଟ୍ଟନାୟକଙ୍କ ଠୁ ଶ୍ୱେତପତ୍ର ଦାବି । ଆଜିଠୁ ଲୋକଙ୍କ ପାଖରେ ପହଂଚିବ ଆନ୍ଦୋଳନ

35

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗ ଏବେ ଜାତୀୟ ପ୍ରସଙ୍ଗ । ମହାନଦୀ ବଂଚାଅ ଆନ୍ଦୋଳନ ଏବେ ଜାତୀୟସ୍ତରର ଆନ୍ଦୋଳନ । ଏଭଳି ନିଷ୍ପତ୍ତି ନିଆଯାଇଛି ଭୁବନେଶ୍ୱରରେ ଦୁଇଦିନ ଧରି ଚାଲିଥିବା ଜାତୀୟ ସମ୍ମିଳନୀରେ । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଆନ୍ଦୋଳନକାରୀ । ଜଳ ବିବାଦର ସମାଧନ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ଛତିଶଗଡ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଅନୁରୋଧ କରାଯିବ ବୋଲି ସମ୍ମିଳନୀରେ ସଂକଳ୍ପ ନିଆଯାଇଛି । ଏନେଇ ଆଜିିଠାରୁ ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରାଯାଇଥିବା କହିଛନ୍ତି ଆନ୍ଦୋଳନର ଅଧ୍ୟକ୍ଷ ତଥା ଜଳପୁରୁଷ ରାଜେନ୍ଦ୍ର ସିଂ ।

ସୂଚନା ମୁତାବକ, ପାନ୍ଥନିବାସ ପରିସରରେ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ପକ୍ଷରୁ ‘ମହାନଦୀ-ଅତୀତ, ବର୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଜାତୀୟ ସମ୍ମିଳନୀ ଗତକାଲି ଉଦଯାପିତ ହୋଇଯାଇଛି । ଦ୍ୱିତୀୟ ଦିନରେ ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଜଳମାନବ ରାଜେନ୍ଦ୍ର ସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା କହିଥିଲେ କି, ସମ୍ବିଧାନର ଧାରା ୨୬୨, ୨୬୩ରେ ବ୍ୟାପକ ସଂଶୋଧନର ଆବ୍ୟକତା ରହିଛି । ନଦୀ ଜଳ ବିବାଦର ଏକ ବ୍ୟାପକ ପରିବର୍ତ୍ତନ କରାଯିବା ଜରୁରୀ । ଏହା ନ ହେଲେ ଭାରତର କୌଣସି ନଦୀ ଜଳ ବିବାଦ ସମାଧାନ ହୋଇପାରିବ । ସମ୍ବିଧାନର ନିୟମ ପର୍ଯ୍ୟାୟକ୍ରମେ ଲୋକମାନଙ୍କର ହିତ ପାଇଁ ସଂଶୋଧନ ହେବା ଆବଶ୍ୟକ ।

ସେହିପରି ଅନ୍ୟତମ ଅତିଥି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ କି, ବିବାଦ ଲୋକମାନଙ୍କର ନ ହୋଇ ଦଳୀୟ ଓ ସରକାରୀ ବିବାଦ ହୋଇଯାଇଛି । ଯାହାକି ପରିବେଶକୁ ଅସନ୍ତୁଳିତ କରିବା ସହିତ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ତେଣୁ ଅଧିବେଶନରେ ଗୃହୀତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପିତ କରବା ସହିତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା କହିଥିଲେ ।

କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦର ଶିଳ୍ପକୁ ପାଣି ବିକ୍ରି ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ବାବଦରେ ନୀରବତା ଅବଲମ୍ବନ କରୁଛନ୍ତି । ପୂର୍ବତ୍ତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ, ଛତିଶଗଡ଼ ସରକାର କୌଣସି ନିୟମକୁ ନ ମାନି ବନ୍ଧ ନିର୍ମାଣ କରୁଥିବାରୁ ପ୍ରଥମେ ବନ୍ଧ ନିର୍ମାଣ ବନ୍ଦ କରାଯାଉ । ତଥ୍ୟ ଆଦାନ ପ୍ରଦାନ ଓ ପରେ ସମାଧାନର ସୂତ୍ର ବାହାର କରିବା ପ୍ରସ୍ତାବକୁ ଛତିଶଗଡ଼ ସରକାର ଅଗ୍ରାହ୍ୟ କରିଛନ୍ତି । ତେଣୁ ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଳମାନବ ଶ୍ରୀ ରାଜେନ୍ଦ୍ର ସିଂ ଆଗାମୀ ଦିନରେ ମହାନଦୀ ଆନ୍ଦୋଳନକୁ ଏକ ଜାତୀୟସ୍ତରର ଆନ୍ଦୋଳନ ରୂପେ ଗ୍ରହଣ କରି ଏକ ନିର୍ଣ୍ଣାୟକ ମୋଡ଼କୁ ନେବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ତେବେ ମହାନଦୀ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏକ ୨୧ଜଣିଆ ଜାତୀୟସ୍ତରର କମିଟି ଜଷ୍ଟିସ ଭି. ଗୋପାଳ ଗୌଡ଼ଙ୍କ ନେତୃତ୍ୱରେ ଗଠନ କରାଯାଇଛି ।

ଏହାର ପରାମର୍ଶଦାତା ଭାବେ ଜଳମାନବ ରାଜେନ୍ଦ୍ର ସିଂ ଓ ସଂଯୋଜକ ସୁଦର୍ଶନ ଦାସଙ୍କୁ ମନୋନୀତ କରାଯାଇଛି । କିଛିଦିନ ପରେ ଏକ ୭ଜଣିଆ ଅନୁସନ୍ଧାନକାରୀ ଦଳ ଛତିଶଗଡ଼କୁ ଯାଇ ସମସ୍ତ ସମସ୍ୟାକୁ ଆକଳନ କରି ଏକ ରିପୋର୍ଟ ପ୍ରଦାନ କରିବେ । ଆଗାମୀ ଦିନରେ ଏହି ରିପୋର୍ଟ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଯେଉଁଥିପାଇଁ ଆଜି ତଥା ୮ ଓ ୯ ତାରିଖରେ କଟକରେ ଜଳ ସତ୍ୟାଗ୍ରହ ଓ ମହାନଦୀ ଉପରେ ସଚେତନତା ରାଲି କରାଯିବା ପାଇଁ ସ୍ଥିର ହୋଇଥିଲା । ତେଣୁ ଏନେଇ ଆଜିିଠାରୁ ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରାଯାଇଥିବା କହିଛନ୍ତି ଆନ୍ଦୋଳନର ଅଧ୍ୟକ୍ଷ ତଥା ଜଳପୁରୁଷ ରାଜେନ୍ଦ୍ର ସିଂ ।