ମହାନଦୀ ଜଳ ବିବାଦ ପ୍ରସଙ୍ଗ ! ଆଗାମୀ ସପ୍ତାହରେ ଜଣାପଡ଼ିବ ଆଲୋଚନା ତାରିଖ

40

କନକ ବ୍ୟୁରୋ: ନୂଆଦିଲ୍ଲୀ ଚଳିତ ଶୀତକାଳୀନ ଅଧିବେଶନରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଖ୍ରୀଷ୍ଟମାସ ଅବକାଶ ପରେ ବୁଧବାର ସଂସଦର ଅଧିବେଶର ଆରମ୍ଭ ହେଲେ ଉଭୟ ଗୃହରେ ଏ ସମ୍ପର୍କିତ କିଛି ସୂଚନା ମିଳିବା ଅନୁମାନ କରାଯାଉଛି । ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଅନ୍ତର୍ଗତ ଆଲୋଚନା ଦାବିକୁ ଅଗ୍ରାହ୍ୟ କରିଦିଆଯାଇଥିବାରୁ ସମ୍ଭବତଃ ଦୃଷ୍ଟି ଆକର୍ଷଣ ପ୍ରସ୍ତାବ ଏବଂ କମ୍ ଅବଧିର ଆଲୋଚନା ଅନ୍ତର୍ଗତ ଆଲୋଚନା ପାଇଁ ବିଚାର କରାଯାଇପାରେ ।

ଗତକାଲି ଉଭୟ ଗୃହରେ ମହାନଦୀ ଜଳବିବାଦ ଆଲୋଚନା ପାଇଁ ବିଜେଡି ସାଂସଦମାନେ କୌଣସି ପ୍ରକାର ଦାବି କରିନଥିଲେ । ତେବେ ଶୂନ୍ୟକାଳରେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ଭିତରକନିକା ଓ ଚିଲିକା ହ୍ରଦର ଜୈବ ବିବିଦ୍ଧତା ସଂରକ୍ଷଣ ଉପରେ ପ୍ରଶ୍ନ କଲା ସମୟରେ ମହାନଦୀ ଜଳପ୍ରବାହକୁ କିଭଳି ଛତିଶଗଡ଼ରେ ରୋକାଯାଇଛି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଚିଲିକା ହ୍ରଦ ଇରାଓ୍ଵାଡ଼ି ଓଲଫିନ୍ ପାଇଁ ଅଭୟାରଣ୍ୟ ଓ ଭିତରକନିକା କୁମ୍ଭୀର ଅଭୟାରଣ୍ୟରେ ବିରଳ ପ୍ରଜାତିଙ୍କ ସଂରକ୍ଷଣ ପାଇଁ ପ୍ରାକୃତିକ ବାସସ୍ଥାନ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି । ତେବେ କିଛି ବର୍ଷ ହେଲା ମହାନଦୀର ମଧୁର ଜଳ ପ୍ରବାହକୁ ଛତିଶଗଡ଼ ରୋକିଦେଇଛି। ଅଣମୌସୁମୀ ଋତୁରେ ଜଳପ୍ରବାହ ହେଉନାହିଁ । ୫ ବର୍ଷ ତଳେ ଅଣମୌସୁମି ସମୟରେ ହେଉଥିବା ଜଳପ୍ରବାହ ଭଳି ଅବସ୍ଥା ଆଣିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟଙ୍କୁ ଅବଗତ ଉଦ୍ଦେଶ୍ୟରେ ଭର୍ତ୍ତୃହରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କହିଥିଲେ । ହର୍ଷବର୍ଦ୍ଧନ ମଧ୍ୟ ଏନେଇ ନିର୍ଦ୍ଦିଷ୍ଟ ମନ୍ତ୍ରାଳୟଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜଣାଇବେ ବୋଲି କହିଥିଲେ ।

ଏହାବାଦ୍ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଇରାଓ୍ଵାଡ଼ି ଡଲଫିନ୍ମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ଲୋକସଭାରେ ଆଜି ଓଖି ବାତ୍ୟା ପ୍ରସଙ୍ଗ ଆଲୋଚନା ବେଳେ ଭର୍ତ୍ତୃହରି ଓଡ଼ିଶାରେ ବାତ୍ୟା ଓ ବନ୍ୟାଜନିତ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟରେ ବାରମ୍ବାର ଅଦିନିଆ ବର୍ଷା ଯୋଗୁଁ ଡାଲି ଓ ପରିବା ଚାଷର ବ୍ୟାପକ କ୍ଷତି ହେଉଥିବା ସେ କହିଥିଲେ । କେନ୍ଦ୍ର ସରକାର ଓ ବ୍ୟାଙ୍କ୍ ଏଥିପାଇଁ ଚାଷୀଋଣ ଅବଧିକୁ ବଢ଼ାଇବାପାଇଁ ମହତାବ ପ୍ରସ୍ତାବ ରଖିଥିଲେ ।