ମଉଳିଲା ମହାନଦୀ ବିବାଦର ସମାଧାନ ଆଶା : ଟ୍ରିବ୍ୟୁନାଲ ଗଠନ ପାଇଁ ମନା କରିଦେଲେ କେନ୍ଦ୍ର ସରକାର

30

କନକ ବ୍ୟୁରୋ : ଟ୍ରିବ୍ୟୁନାଲ ଗଠନ ପରେ ମହାନଦୀ ବିବାଦର ସମାଧାନ ହୋଇଯିବ ବୋଲି ଓଡ଼ିଶା ଆଶା କରୁଥିବାବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଟ୍ରିବ୍ୟୁନାଲ ଗଠନ ପାଇଁ ମନା କରିଦେଇଛନ୍ତି ମୋଦି ସରକାର । ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଜଳ ଆବଣ୍ଟନକୁ ନେଇ ଓଡ଼ିଶା ସରକାରଙ୍କୁ ଯେଉଁ ତଥ୍ୟ ମଗାଯାଇଥିଲା ତାହା ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ।

ବିଜେପି କହୁଛି – ଛତିଶଗଡ଼ରେ ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀର ଜଳସ୍ରୋତ କମିବ ନାହିଁ ବୋଲି ପୂର୍ବରୁ ଓଡ଼ିଶା ସରକାର ତଥ୍ୟ ଦେଇଥିଲେ, ଏବେ ରାଜନୀତି କରୁଛନ୍ତି । ସେପଟେ କଂଗ୍ରେସର ପ୍ରସ୍ତାବ ହେଲା –ତୁ ତୁ ମେ ମେ କରି କିଛି ଲାଭ ନାହିଁ । ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ନିଜେ ଏହି ବିବାଦର ସମାଧାନ ପାଇଁ ସମସ୍ତଙ୍କୁ ବିଶ୍ୱାସକୁ ନିଅନ୍ତୁ ।
ତଥ୍ୟ ଅନୁସାରେ ମହାନଦୀ ଉପରେ ଛତିଶଗଡ଼ ବର୍ତ୍ତମାନ ୧୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଇତି ମଧ୍ୟରେ ୮ଟି ବୃହତ ପ୍ରକଳ୍ପ ନିର୍ମାଣ ପ୍ରାୟ ସରିଛି ଏବଂ ୨୯ଟି ମଧ୍ୟମ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଗୋଟିଏ ପଟେ ରାଜନୀତି ଏବଂ ଅନ୍ୟପଟେ ଓଡିଶାର ସ୍ୱାର୍ଥ । ତେଣୁ ନେତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ, ପାର୍ଟି ଆଗ ନା ମାଟି ।