ପୁଣି ତେଜିଲା ମହାନଦୀ ଜଳ ବିବାଦ ଆନ୍ଦୋଳନ ! ଆଜି ୪ଟି ଜିଲ୍ଲାରେ ୪ ଘଂଟିଆ ହରତାଳ କରୁଛି ବିଜେଡି

31

କନକ ବ୍ୟୁରୋ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଶାସକ ବିଜେଡି । ଏହି ପ୍ରସଙ୍ଗରେ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତିବାଦରେ ଆଜି ୪ଟି ଜିଲ୍ଲାରେ ହରତାଳ କରୁଛି ଦଳ । ସମ୍ବଲପୁର, ବରଗଡ଼, ଝାରୁସୁଗୁଡ଼ା ଓ ସୋନପୁର ଜିଲ୍ଲାରେ ଆଜିି ସକାଳରୁ ଜିଲ୍ଲା ବ୍ୟାପୀ ହରତାଳ କରୁଛି ବିଜେଡି । ସକାଳ ୬ଟାରୁ ଦିନ ୧୦ଟା ଯାଏଁ ୪ ଘଂଟା ପାଇଁ ଶାନ୍ତିପୂର୍ଣ୍ଣ ହରତାଳ ଡ଼ାକରା ଦେଇଛି ଦଳ ।

ଗତକାଲି ଅପରାହ୍ନରେ ସଂପୃକ୍ତ ଜିଲ୍ଲାରେ କେନ୍ଦ୍ର ଓ ଛତିଶଗଡ଼ର ଓଡ଼ିଶା ପ୍ରତି ଅବିଚାର ପ୍ରତିବାଦରେ ପଥପ୍ରାନ୍ତ ସଭା, ବାଇକ ରାଲି ଓ ଶୋଭାଯାତ୍ରା କରାଯାଇଥିଲା । ଛତିଶଗଡ଼ର ଅପରିଣାମଦର୍ଶୀ ପଦକ୍ଷେପ ଓଡିଶା ପାଇଁ କାଳ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି, ମହାନଦୀକୁ ଯେତିକି ପାଣି ଆସିବା କଥା, ସେଥିରେ ବାଧାଦେବା ସପକ୍ଷରେ ଦଳ ନାହିଁ । ତେବେ ବିଜେଡି ଆନ୍ଦୋଳନ କରି ରାଜନୀତି କରୁଛି ବୋଲି ଦଳୀୟ ମୁଖପାତ୍ର କହିଛନ୍ତି ।

ଅପରପକ୍ଷରେ ମହାନଦୀ ଉପର ମୁଣ୍ଡରେ ଡ୍ୟାମ ନିର୍ମାଣ ବିବାଦରେ ହାତ ଟେକିଦେଇଛନ୍ତି କେନ୍ଦ୍ର ସରକାର । ଡ୍ୟାମ୍ ନିର୍ମାଣ ରୋକିବା ନେଇ ଅକ୍ଷମତା ପ୍ରକାଶ କରିଛନ୍ତି କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ । ସଞ୍ଜୀବ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କୁ ଚିଠି ଲେଖି ପରୋକ୍ଷରେ କହିଛନ୍ତି, ଡ୍ୟାମ୍ ନିର୍ମାଣ ରୋକିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇପାରିବେ ନାହିଁ । କେନ୍ଦ୍ର ସରକାର କେବଳ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିପାରିବେ ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ କରିଚାଲିଛି । ଓଡିଶା ସରକାର କହୁଛନ୍ତି, ଏହି ବିବାଦ ନେଇ କଥାବାର୍ତ୍ତା ଚାଲିଥିବାବେଳେ ସମାଧାନ ବାଟ ନବାହାରିବାଯାଏଁ, ଛତିଶଗଡ଼ ଡ୍ୟାମ୍ ନିର୍ମାଣ କାମ ବନ୍ଦ ରଖୁ । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଥିଲେ, ଯୁଦ୍ଧକାଳୀନ ଭିତ୍ତିରେ ଡ୍ୟାମ୍ ନିର୍ମାଣ ଶେଷ କରାଯିବ । ଏହାରି ଭିତରେ ପୁଣି କେନ୍ଦ୍ର ସରକାରଙ୍କ ଜଳ ସଂପଦ ବିଭାଗ କହୁଛି ଡ୍ୟାମ୍ ନିର୍ମାଣ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –