ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦର ଶୁଣାଣି ! ସରକାରଙ୍କ ଅରିଜିନାଲ ସୁଟର ଶୁଣାଣି କରିବେ ୨ ଜଣିଆ ଖଣ୍ଡପୀଠ

82

କନକ ବ୍ୟୁରୋ: ଆଜି ମହାନଦୀ ଜଳବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସୁପ୍ରିମକୋର୍ଟରେ ହେବ । ଗତମାସ ୨୫ ତାରିଖରେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ କରିବାକୁ ଧାର୍ଯ୍ୟ ହୋଇଥିଲା । ତେବେ ସେଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶପଥଗ୍ରହଣ ସମାରୋହ ଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହର ଅନୁପସ୍ଥିତ ରହିଥିଲେ । ଏହାର ଶୁଣାଣି ବିଚାରପତି ଏସଏ ବବ୍ଡେ ଓ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହୋଇଥିଲା । ଆଜି ଏହାର ଶୁଣାଣି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହେବନାହିଁ । କୋର୍ଟ ନଂ ୭ରେ ବିଚାରପତି ଏସଏ ବବ୍ଡେ ଓ ବିଚାରପତି ଏଲ୍ ନାଗେଶ୍ୱର ରାଓ ମହାନଦୀ ଜଳବିବାଦ ମାମଲା ସଂପର୍କିତ ରାଜ୍ୟ ସରକାରଙ୍କ ଅରିଜିନାଲ ସୁଟର ଶୁଣାଣି କରିବେ ।

ପୂର୍ବରୁ ମହାନଦୀ ଜଳ ବିବାଦର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ତଥା ଏନେଇ କ୍ୟାବିନେଟ ନୋଟ୍ ପ୍ରସ୍ତୁତ କରାଯାଇଥିବା ସଂପର୍କରେ ଖଣ୍ଡପୀଠକୁ ଅବଗତ କରାଯାଇ ଅତିରିକ୍ତ ନଥିପତ୍ର ଦାଖଲ କରିବା ପାଇଁ ସମୟ ଲୋଡ଼ା ଯାଇଥିଲା । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣୀ ଅତିରିକ୍ତ ଡକ୍ୟୁମେଣ୍ଟ ହାସଲ କରିବା ସହ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇବା ଅନୁମାନ କରାଯାଉଛି ।

ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଟ୍ରିବ୍ୟୁନାଲ ଗଠନ ଦାବିକୁ ଶୀଘ୍ର ତ୍ୱରାନ୍ଵିତ କରିବା ତଥା ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ଓଡ଼ିଶାର ଚିନ୍ତା ଓ ଆଶଙ୍କାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା କରିବା ସଂପର୍କିତ ଆଦେଶ ଜାରି କରିବା ପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ୟାରେଜ କାର୍ଯ୍ୟକୁ ବନ୍ଦ କରିବା ତଥା ଭବିଷ୍ୟତରେ ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ ନ କରିବାକୁ ଖଣ୍ଡପୀଠଙ୍କ ନିକଟରେ ଦାବି କରାଯିବାର ସମ୍ଭାବନା ରହିଛି ।

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର କୋଲକାତା ବେଞ୍ଚ ଦ୍ୱାରା ଛତିଶଗଡ଼ର କିଛି ପ୍ରକଳ୍ପ ଉପରେ ରହିତାଦେଶ ଜାରି କରାଯାଇଥିବା ପ୍ରସଙ୍ଗକୁ ଓଡ଼ିଶା ଦ୍ୱାରା ନ୍ୟାୟାଳୟକୁ ଅବଗତ କରାଯାଇ ନ୍ୟାୟୋଚିତ ବ୍ୟବସ୍ଥା ପାଇଁ ଶୁଣାଣି ସମୟରେ ଅପିଲ କରାଯିବ ବୋଲି ଅନୁମାନ କରାଯାଉଛି । ଶୁଣାଣି ବେଳେ ଛତିଶଗଡ଼ ପକ୍ଷରୁ ଓଡ଼ିଶାର ସମସ୍ତ ଅଭିଯୋଗଗୁଡ଼ିକ ଉପରେ ତଥ୍ୟ ଆଧାରରେ ଜବାବ ରଖାଯିବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ସକାରାତ୍ମକ ମନୋଭାବ ପ୍ରକଟ କରିଥିବା ବେଳେ ଓଡ଼ିଶାର ଦାବିଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ କେଉଁ ଭଳି ଆଭିମୂଖ୍ୟ ଗ୍ରହଣ କରିବେ ଆଜି ତାହା ଜଣାପଡ଼ିବ ।