ଆଜି ସୁପ୍ରିମକୋର୍ଟରେ ମହାନଦୀ ବିବାଦର ଶୁଣାଣି ! ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ଶୁଣାଣି କରିବେ ଖଣ୍ଡପୀଠ

30

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦର ଶୁଣାଣି ହେବ । ଜଷ୍ଟିସ ଏସଏ ବବଡେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ଆଜି ଶୁଣାଣି କରିବେ । ଏହି ମାମଲାରେ ଓଡିଶା ସରକାର ଓ ଛତିଶଗଡ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିସାରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆଜି ପୁଣିଥରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜରିଆରେ ସମାଧାନ ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅପରପକ୍ଷେ, ସତ୍ୟପାଠ ଜରିଆରେ ଉତ୍ତର ରଖି ଓଡ଼ିଶା କହିଛି ଯେ ବୁଝାମଣା କେବଳ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା । ଓଡ଼ିଶା ମହାନଦୀ ଜଳବିବାଦ ସମ୍ପର୍କରେ ଯେଉଁ ଅଭିଯୋଗ ପିଟିସନ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା ତାହା ଉପରୋକ୍ତ ପ୍ରସଙ୍ଗର ଅଂଶ ବିଶେଷ ନଥିଲା ବୋଲି ରାଜ୍ୟ ସରକାର ଜବାବରେ କହିଛନ୍ତି । ରାଜ୍ୟ ସରକାର ଦାଖଲ କରିଥିବା ପିଟିସନରେ ଜଳବିବାଦକୁ ନେଇ ହୀରାକୁଦ ଡ୍ୟମର ବ୍ୟାକଓ୍ଵାଟର ଅଧ୍ୟୟନ ସମ୍ବନ୍ଧିତ ନୁହେଁ ବରଂ ମହାନଦୀ ଜଳର ଗତି ପରିବର୍ତ୍ତନ ସମ୍ପର୍କରେ ଅଭିଯୋଗ କରାଯାଇଛି ।

ଜଳବଣ୍ଟନକୁ ନେଇ ବିବାଦ ହୋଇଥିବା ବେଳେ ବ୍ୟାକ ଓ୍ଵାଟର ଅଧ୍ୟୟନ ସମ୍ପର୍କରେ କଛି କରିବାର ନଥିଲା ବୋଲି ସତ୍ୟପାଠରେ କୁହାଯାଇଛି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଯାହା ଏପର୍ୟ୍ୟନ୍ତ ଗଠନ କରାଯାଇନାହିଁ ୧୯୮୩ର ବୁଝାମଣା ଅର୍ନ୍ତଗତ ଏହାର ସୀମିତ ବିଧିସଂଗତ ଅଞ୍ଚଳରେ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ରହିଛି। ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ କେବଳ ଭ୍ରମ ସୃଷ୍ଟି କରୁଛି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଆଳରେ କେବଳ ଟ୍ରିବ୍ୟୁନାଲ ଗଠନର ସାମ୍ବିଧାନିକ ଅଧିକାର ଯାହା ୧୯୫୬ର ଅନ୍ତଃନଦୀ ଜଳ ବିବାଦ ଆଇନ ଅର୍ନ୍ତଗତ ରିମେଡି ରୂପେ ଉପଲବ୍ଧ ଅଛି ତାହାକୁ କେହି ରୋକିପାରିବେ ନାହିଁ ବୋଲି ରାଜ୍ୟ ସରକାର ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି ।

ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଆଜି ପୁଣିଥରେ ୨ ପକ୍ଷର ଆଲୋଚନା ଜରିଆରେ ବିବାଦର ସମାଧାନ ନେଇ ଯୁକ୍ତି ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ପରିବର୍ତ୍ତେ ସମସ୍ତ ନଦୀଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ସେ ଖଣ୍ଡପୀଠକୁ ଅବଗତ କରାଇ ପାରନ୍ତି ବୋଲି ସମ୍ଭାବନା ରହିଛି । ଟ୍ରିବ୍ୟୁନାଲ ବିନା ମହାନଦୀ ବିବାଦର ସମାଧାନ ହେବ ନାହିଁ ଏହି ମର୍ମରେ ନିଜର ଓକିଲ ମାନଙ୍କ ସହ ଓଡିଶା ଖଣ୍ଡପୀଠରେ ଜୋରସୋରରେ ଯୁକ୍ତି ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି।