ସାମ୍ନାକୁ ଆସିଲା ଶୁଖିଲା ମହାନଦୀ ପଛର ସାଂଘାତିକ ସତ । ମହାନଦୀ ପାଣିର ଏକଚାଟିଆ ବ୍ୟବହାର ଲାଗି ଛତିଶଗଡ଼ର ଷଡ଼ଯନ୍ତ୍ର

45

କନକ ବ୍ୟୁରୋ: ଆଜି ଆମେ ଆପଣଙ୍କୁ  ଏପରି ଖବର ଜଣାଇବୁ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହାନଦୀ ପାଣିର ପ୍ରାକୃତିକ ସ୍ରୋତକୁ ଅଟକାଇବା ପାଇଁ ୨ ହଜାର ୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ଆଉ ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍ ।

ମାଳ ମାଳ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ କରି ମହାନଦୀର ପ୍ରାକୃତିକ ଜଳ ପ୍ରବାହକୁ ରୋକି ଦେଇଛି ଛତିଶଗଡ । ପଡୋଶୀ ରାଜ୍ୟର ଏହି ସାଂଘାତିକ ଷଡ଼ଯନ୍ତ୍ରର ପୂରା କାହାଣୀ ବିଧାନସଭାକୁ ଜଣାଇଛନ୍ତି ଜଳସଂପଦ ମନ୍ତ୍ରୀ ନିରଜଂନ ପୂଜାରୀ । ମହାନଦୀ ଉପରେ କେଉଁ ରାଜ୍ୟ ବନ୍ଧ ବାନ୍ଧିଛନ୍ତି ଏବଂ କେତେ ବନ୍ଧ ବାନ୍ଧିବାର ପ୍ରସ୍ତାବ ରହିଛି, ଏ ନେଇ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଜଳସଂପଦ ମନ୍ତ୍ରୀ ।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ସେଥିରେ ରହିଛି ୮ଟି ବଡ଼, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ । ସେହିପରି ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍ । ଏହା ଛଡ଼ା ୪ଟି ବଡ଼ ପ୍ରକଳ୍ପ, ୩ଟି ମଧ୍ୟମ ଧରଣର ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୧୨୫ଟି ଆନିକଟ ।

ଜଳସେଚନ ମନ୍ତ୍ରୀ ବିଧାନସଭାକୁ କହିଛନ୍ତି ଯେ, ହୀରାକୁଦରେ ହ୍ରାସ ପାଉଥିବାରୁ ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେବ । ବିଶେଷ କରି ତ୍ରିକୋଣଭୂମି ଅଂଚଳରେ ଜଳସେଚନ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ । ଏହାସହ ମହାନଦୀ ତଳ ମୁଣ୍ଡରେ ଥିବା ଜୈବ ବିବିଧତାରେ ଭରପୂର ସାତକୋଶିଆ ଅଭୟାରଣ୍ୟ, ଚିଲିକା, ଭିତରକନିକା, ଗହିରମଥା ଆଦି ପ୍ରାକୃତିକ ପରିବେଶ ଗଭୀର ଭାବେ ପ୍ରଭାବିତ ହେବ ।

ଉଲ୍ଲେଖ ଥାଉ କି, ବର୍ତ୍ତମାନ ମହାନଦୀର ଛତିଶଗଡ଼ ଅବବାହିକାରୁ ହୀରାକୁଦକୁ ଆସୁଥିବା ଜଳ ପରିମାଣ ଦିନକୁ ଦିନ ହ୍ରାସ ପାଇ ସଂକଟଜନକ ସ୍ଥିତି ଆଡକୁ ଗତି କରୁଛି । ଛତିଶଗଡ଼ର ସବୁ ପ୍ରକଳ୍ପ ପୂରା ଦମରେ କାର୍ଯ୍ୟ କରିବା ଆରମ୍ଭ କଲେ ହୀରାକୁଦ ଜଳଭଣ୍ଡାରର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ ।