ମହାନଦୀ ହେବ ପ୍ରଦୂଷଣ ମୁକ୍ତ ! ମହାନଦୀର ୧୦ଟି କ୍ଷେତ୍ରରେ ପ୍ରଦୂଷଣ ଦୂର ପାଇଁ ଅଂଟା ଭିଡିଲେ ରାଜ୍ୟ ସରକାର

112

କନକ ବ୍ୟୁରୋ: “ନମାମି ଗଙ୍ଗା’ ପ୍ରକଳ୍ପ ଭଳି ମହାନଦୀରୁ ପ୍ରଦୂଷଣ ଦୂର କରାଯିବ ବୋଲି ରାଷ୍ଟ୍ରପତି ସଂସଦରେ କହିବା ପରେ ଏବେ ମହାନଦୀର ୧୦ଟି କ୍ଷେତ୍ରରେ ପ୍ରଦୂଷଣ ଦୂର ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସକରାର । ଜାତୀୟ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶ ଅନୁସାରେ ଏନେଇ କ’ଣ କରାଯାଉଛି ସେ ସଂପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡକୁ ଆସନ୍ତା ୩୦ତାରିଖ ସୁଦ୍ଧା ରିପୋର୍ଟ ଦେବେ ରାଜ୍ୟ ସରକାର । ମହାନଦୀ ଅବବାହିକାରେ ପ୍ରଦୂଷଣ ଦୃଷ୍ଟିରୁ ଭୁବନେଶ୍ୱର ନିକଟସ୍ଥ ଗଙ୍ଗୁଆ ନାଳକୁ ସବୁଠାରୁ ପ୍ରଦୂଷଣକାରୀ ବୋଲି ଚିହ୍ନଟ କରାଯାଇଛି ।

ଭୁବନେଶ୍ୱର ସହର ନିକଟସ୍ଥ ଗଙ୍ଗୁଆ ନାଳ । ଯାହାକି ମହାନଦୀର ଉପଶାଖା ଦୟାକୁ ପ୍ରଦୂଷିତ କରୁଛି । ଦୟା ନଦୀରୁ ସଂଗ୍ରହ କରାଯାଇଥିବା ପାଣିର ନମୁନାରେ ଆବଶ୍ୟକ ଅମ୍ଳଜାନ ସ୍ତର ଅର୍ଥାତ୍ ବିଓଡି ସବୁଠାରୁ ଉଦବେଗଜନକ ସ୍ତରରେ ପହଂଚିଛି । ବର୍ଷ ବର୍ଷ ଧରି ସହରରୁ ବାହାରରୁ ଥିବା ଆବର୍ଜନା ନଦୀରେ ମିଶୁଥିବା ବେଳେ ଏପର୍ଯ୍ୟନ୍ତ ଏ ନେଇ ସ୍ୱିରେଜ ଟ୍ରିଟମେଂଟ୍ ପ୍ଲାଂଟ୍ ବି ନିର୍ମିତ ହୋଇପାରିନାହିଁ । କେବଳ ଗଙ୍ଗୁଆ ନୁହେଁ ମହାନଦୀ ଅବବାହିକାରେ ଏଭଳି ଦଶଟି କ୍ଷେତ୍ର ଚିହ୍ନଟ କରାଯାଇଛି ଯେଉଁଠି ପାଣିର ପ୍ରଦୂଷଣ ବଢ଼ିଯାଇଛି । ତେବେ ନମାମି ଗଙ୍ଗା ଯୋଜନାରେ ଏପର୍ଯ୍ୟନ୍ତ ୨୮୯ ପ୍ରକଳ୍ପରୁ ମାତ୍ର ୮୭ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ନମାମି ଗଙ୍ଗା ଯୋଜନାର ଉଦ୍ଦେଶ୍ୟ ଭଲ ହୋଇପାରେ । ମାତ୍ର ନଦୀକୁ ପ୍ରଦୂଷଣମୁକ କରାଯିବା ଉପରେ ଅନେକ ବହୁମୁଖୀକାର୍ଯ୍ୟ ହାତକୁ ନେବାକୁ ପଡ଼ିବ ବୋଲି କହିଛନ୍ତି ପରିବେଶବିତ୍ ରଂଜନ ପଣ୍ଡା ।

ଜଙ୍ଗଲ ଓ ପରିବେଶ ବିଭାଗ ଆକଳନ ଅନୁସାରେ ଏବେ ରାଜ୍ୟର ବିଭିନ୍ନ ନଦୀରେ ଥିବା ୧୯ଟି କ୍ଷେତ୍ରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି । “ସ୍ୱଚ୍ଚ ଭାରତ ମିଶନ’ରେ ସରକାର ଭୁବନେଶ୍ୱରର ବାସୁଆଘାଇ ସମେତ ରାଜ୍ୟର ୬ଟି ସ୍ଥାନରେ ସ୍ୱିୱେଜ ଟ୍ରିଟମେଂଟ୍ ପ୍ଲାଟ୍ କରିଛନ୍ତି । ଯେଉଁଥିରେ ସହରରୁ ସେସପୁଲ ଦ୍ୱାରା ସଂଗୃହୀତ ହେଉଥିବା ମଳମୂତ୍ରକୁ ଶୋଧନ କରାଯାଇ ନଦୀକୁ ଛଡ଼ାଯାଉଛି । ମାତ୍ର ଏବେ ବି ଭୁବନେଶ୍ୱରରେ ନିର୍ମିତ ହେବାକୁ ଥିବା ୬ଟି ସ୍ୱେରେଜ୍ ଟ୍ରିଟମେଂଟ୍ ପ୍ଲାଂଟ୍ ବା ମାଟିତଳ ଡ୍ରେନରେ ଆସୁଥିବା ମଇଳା ବିଶୋଧନ ପାଇଁ ପ୍ଲାଂଟ୍ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ ।