ବାଙ୍କୀରେ ଶୁଖିଲା ପଡିଛି ମହାନଦୀ । ପରିବା ଚାଷୀ ପ୍ରଭାବିତ, ପାଣି ଅଭାବରୁ ଟାଙ୍ଗରା ଭୂଇଁ ପଡିଛି ନଈପଠା । ଜୀବିକା ହରାଇ ଚିନ୍ତାରେ ନାଉରିଆ ।

185

କନକ ବ୍ୟୁରୋ : ବାଙ୍କୀର ଜୀବନ ରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡିଛି । ମହାନଦୀରେ ପାଣି ଅଭାବ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଚାଷୀ । ବାଙ୍କୀ ନିକଟସ୍ଥ ରେଣୁକା ଘାଟ ପଠାର ଏକର ଏକର ଜମିରେ ପରିବାର ଚାଷ ହେଉଥିଲା । ହେଲେ ଏବେ ପାଣି ଅଭାବ ହେବାରୁ ପରିବା ଚାଷରୁ ବହୁ ଚାଷୀ ମୁହଁ ଫେରାଇ ନେଇଥିବା ବେଳେ କିଛି ଲୋକେ କୁଅର ପାଣି ବୋହି ଅଳ୍ପ କିଛି ସ୍ଥାନରେ ପରିବା ଚାଷ କରୁଛନ୍ତି ।

ଶୁଖିଗଲା ମହାନଦୀ । ପଡ଼ିଆ ପଡିଲା ଚାଷ ଜମି । ଆଗଭଳି ଆଉ ମହାନଦୀରେ ପାଣି ନାହିଁ । ବର୍ଷା ଯିବାର ମାସ କେଇଟାରେ ଶୁଖି ଯାଇଛି ଓଡିଶାର ଜୀବନ ରେଖା । ଦିନେ ଏହି ମାର୍ଗଶୀର ମାସରେ ପାଣି ଭର୍ତି ମହାନଦୀ ଫୁଲେଇ ହେଉଥିଲା । ହେଲେ ଆଜି ଚାରିଆଡେ ଦେଖିବାକୁ ମିଳୁଛି ଶୁଖିଲା ବାଲୁକା ରାଶି ।

ମହାନଦୀ ଶୁଖିଯିବାରୁ ବାଙ୍କୀରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ । ଯେଉଁ ପଠାରେ ଏହି ସମୟରେ ଆଳୁଚାଷ ହେଉଥିଲା, ଆଜି ପାଣି ଅଭାବରୁ ସେହି ମହାନଦୀ ପଠା ଟାଙ୍ଗରା ଭୂଇଁ ପାଲଟିଛି ।

ମହାନଦୀ ଶୁଖି ଯିବାରୁ ବାଙ୍କି ଅଂଚଳରେ ପରିବା ଚାଷ ତ ଉଜୁଡି ଯିବାକୁ ବସିଛି । ସେପଟେ ଯାତ୍ରୀଙ୍କୁ ମହାନଦୀ ପାର କରାଇ ପରିବାର ପୋଷୁଥିବା ଡଙ୍ଗା ଚାଳକ ଏବେ ନଦୀ ଘାଟରେ ଡଙ୍ଗାକୁ ଜଗି ବସିଛି । ମହାନଦୀରେ ନା ପାଣି ଅଛି ନା ସେ ଯାତ୍ରୀ ପାର କରାଇ ଦୁଇ ପଇସା ରୋଜଗାର କରୁଛନ୍ତି । କେବଳ ଆଶାକୁ ନେଇ ନଇକୂଳରେ ବସିଛନ୍ତି ନାଉରିଆ ।