ଛତିଶଗଡ ସହ ବିବାଦ ଭିତରେ ମହାନଦୀକୁ ନେଇ ଆସିଲା ସାଙ୍ଘାତିକ ସତ ! ବିଷୋଧନ ପରେ ବି ପିଇବା ଉପଯୋଗୀ ନୁହେଁ ମହାନଦୀ ପାଣି , କହିଲେ ସରକାର

45

କନକ ବ୍ୟୁରୋ : ଯେଉଁ ମହାନଦୀକୁ ନେଇ ଛତିଶଗଡ ସହ ବିବାଦ ବଢୁଛି ସେହି ମହାନଦୀର ଆଉ ଏକ ଭୟଙ୍କର ସତ ସାମ୍ନାକୁ ଆସିଛି । ଓଡିଶାର ଏହି ଜୀବନରେଖା ଆଉ ଭବିଷ୍ୟତରେ ଜୀବନରେଖା ହୋଇ ରହିବ ନାହିଁ । ଜଳ ପ୍ରବାହ ତ ଛତିଶଗଡର ବନ୍ଧ ପାଇଁ କମି ଯାଇଛି, ଏପଟେ ସରକାର କହୁଛନ୍ତି ମହାନଦୀ ପାଣି ଆଉ ପିଇବା ପାଇଁ ଉପଯୋଗୀ ନୁହେଁ ।

ସରକାରୀ ତଥ୍ୟ ଅନୁସାରେ କଟକ ସହର ଠାରୁ ତଳକୁ ବହୁଥିବା ଜଗତପୁର, ନିମେଇସପୁର, ବାବୁଜଙ୍ଗ ଓ ଅରାବଳ ଆଦି ସଂଲଗ୍ନ ମହାନଦୀର ପାଣିକୁ ବିଶୋଧନ ଏବଂ ସଂକ୍ରମଣ ରହିତ କରିବା ପରେ ମଧ୍ୟ ଏହା ପିଇବା ଉପଯୋଗୀ ହୋଇପାରିବ ନାହିଁ । ସେହିପରି ଆହୁରି ତଳକୁ ଥିବା ଗୋରେଖନାଥ, ତିର୍ତୋଲ, ରାହାମା ଓ କୁଜଙ୍ଗ ଆଦି ସଂଲଗ୍ନ ମହାନଦୀର ପାଣି ମଧ୍ୟ ସଂପୂର୍ଣ୍ଣ ଦୂଷିତ ହୋଇଯାଇଛି । ଯେଉଁଥିପାଇଁ ମୁଖ୍ୟତଃ ମନୁଷ୍ୟକୃତ କାରଣ ହିଁ ଦାୟୀ ବୋଲି କୁହାଯାଇଛି ।

ତେବେ କଟକ ଉପରମୁଣ୍ଡରେ ଥିବା ମହାନଦୀ ବାଙ୍କୀ, କରବରା, କୁଶପାଙ୍ଗି, ମୁଣ୍ଡଳୀ, ନରାଜ, କଖଡି ଓ ମନ୍ଦପଡା ଆଦି ସ୍ଥାନରେ ଠିକ୍ ଅଛି । ଅର୍ଥାତ ଏସବୁ ସ୍ଥାନରେ ମହାନଦୀର ପାଣିକୁ ବିଶୋଧନ ଓ ସଂକ୍ରମଣ ରହିତ କରିବା ପରେ ଏହା ଲୋକଙ୍କ ପିଇବା ଉପଯୋଗୀ ହୋଇପାରିବ ।

କଂଗ୍ରେସ ବିଧାୟକ କୈଳାଶ କୁଲେସିକାଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୧୧ଟି ପ୍ରମୁଖ ନଦୀର ପାଣି ବ୍ୟବହାର ଉପଯୋଗୀ କି ନୁହେଁ ସେନେଇ ୧୨୯ଟି ସ୍ଥାନରେ ଜଳ ପରୀକ୍ଷା କରାଯାଇଥିଲା । ଯାହା ଭିତରେ ମହାନଦୀର ପାଣି ଦୂଷିତ ହୋଇଥିବା ସୂଚନା ରହିଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରୀକ୍ଷା ପରେ ଜଣାପଡିଛି ଯେ, ସମ୍ବଲପୁର ଉପରମୁଣ୍ଡ ଓ ତଳମୁଣ୍ଡରେ ବହୁଥିବା ମହାନଦୀ ପାଣି ମଧ୍ୟ ପିଇବା ଉପଯୋଗୀ ନୁହେଁ । ରେମେଡ, ସମ୍ବଲପୁର, ଛଉପୁର, ଚିପିଲିମା, କର୍ଡୋଲା ଆଦି ସଂଲଗ୍ନ ମହାନଦୀର ପାଣି ସଂପୂର୍ଣ୍ଣ ଦୂଷିତ । ଝାରସୁଗୁଡାରେ ମଧ୍ୟ ମହାନଦୀ ପାଣିର ସମାନ ଅବସ୍ଥା ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା ହେଲା ଏସବୁ ଅଂଚଳରେ ନର୍ଦ୍ଦମା ପାଣି ସିଧାସଳଖ ନଦୀଜଳରେ ମିଶୁଥିବାରୁ କୋଲିଫର୍ମର ମାତ୍ରା ବଢୁଛି ଏବଂ ସେଥିପାଇଁ ନଦୀ ପାଣି ଦୂଷିତ ହେବାରେ ଲାଗିଛି । ମହାନଦୀ ପ୍ରଦୂଷଣ ପଛର ସବୁଠାରୁ ବଡ କରାଣ ହେଉଛି, ସାରା ସହର ଓ ଆଖପାଖ ଜନବସତିର ପାଇଖାନା ମଇଳା ସିଧାସଳଖ ନଦୀ ଭିତରକୁ ଛାଡିଦିଆଯାଉଛି । କୋଲିଫର୍ମର ମାତ୍ରା ବଢିବା ପଛର ଏହା ହିଁ ସବୁଠାରୁ ବଡ କାରଣ ।