ଟଙ୍କା ଲୋଭ ଜହ୍ଳାଦ ବାପାକୁ କରିଦେଲା ପାଗଳ ! ୨ ଲକ୍ଷ ଟଙ୍କା ପାଇଁ ଝିଅ ସଂସାରକୁ ମୂଳପୋଛ କରିଦେଲା ସଇତାନ ବାପା

44

କନକ ବ୍ୟୁରୋ : ଟଙ୍କା ପାଇଁ ଝିଅ ଓ ତା ପରିବାରକୁ ହତ୍ୟା କରିଛି ବାପା । ଏପରି ଅଭାବନୀୟ ଘଟଣାର ପର୍ଦାଫାଶ କରିଛି ଜଗତସିଂହପୁର ପୋଲିସ । ମୃତ ମାମିନାଙ୍କ ବାପା ଅକ୍ଷୟ ସେଠୀକୁ ଗିରଫ କରିଛି ପୋଲିସ । ସ୍ୱାମୀ ଅନନ୍ତ ସେଠୀଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ମାମିନାଙ୍କୁ ୨ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କା ହଡପ କରିବା ପାଇଁ ଅକ୍ଷୟ ନିଜ ଝିଅ ଓ ତିନି ନାତି ନାତୁଣୀଙ୍କୁ ହତ୍ୟା କରିଥିଲା ବାପା ।

ଇଏ ଏପରି ଏକ ଘଟଣା ଯାହା ଆପଣ କେବେ ଶୁଣିନଥିବେ । ଜଣେ ବାପା ତା’ର ଝିଅ ଓ ନାତି ନାତୁଣୀଙ୍କ ପ୍ରତି ଏତେ ନିର୍ଦ୍ଦୟ ହୋଇପାରେ, ତାହା ଜାଣିଲେ ଆପଣଙ୍କ ଛାତି ଥରିଉଠିବ । ମହାନଦୀରେ ଭାସୁଥିବା ୪ ମୃତଦେହ ଉଦ୍ଧାର ଘଟଣା ଉପରୁ ଜଗତସିଂହପୁର ପୋଲିସ ପରଦା ଉଠାଇବା ପରେ ସାମନାକୁ ଆସିଛି ଭୟଙ୍କର ସତ । ମାତ୍ର ୨ ଲକ୍ଷ ଟଙ୍କା ହଡପ କରିବା ପାଇଁ ଝିଅ ଓ ନାତି, ନାତୁଣୀଙ୍କୁ ନିର୍ମମ ଭାବେ ହତ୍ୟା କରି ମହାନଦୀରେ ଫିଙ୍ଗି ଦେଇଥିଲା ଜହ୍ଲାଦ ବାପା ଅକ୍ଷୟ ସେଠୀ ।

ଅକ୍ଷୟଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି, ତାହା ଯେତିକି ସାଂଘାତିକ, ସେତିକି ଦୃଦୟ ବିଦାରକ । ନିଜ ଝିଅ ମାମିନା ସେଠୀ, ଦୁଇ ନାତୁଣୀ ଓ ଜଣେ ନାତିର ତଂଟି ଚିପି ହତ୍ୟା କରିଥିଲା ଅକ୍ଷୟ । ଜ୍ୱାଇଁର ମୃତ୍ୟୁ ପରେ କ୍ଷତିପୂରଣ ବାବଦରେ ଝିଅ ପାଇଥିବା ୨ ଲକ୍ଷ ଟଙ୍କାକୁ ହଡପ କରିବା ପାଇଁ ମୃତ୍ୟୁର ସୌଦାଗର ପାଲଟିଗଲା ଜନ୍ମକଲା ବାପା ।

ମେ’ ୧୦ ତାରିଖ ଅପରାହ୍ନରେ କୁଜଙ୍ଗ ଶନିମନ୍ଦିର ନିକଟ ମହାନଦୀ ମଝିରେ ଭାସୁଥିଲା ତିନିଟି ଶିଶୁ ଆଉ କୂଳରେ ଲାଗିଥିଲା ସ୍ଥାନୀୟ ମହିଳା ମାମିନା ସେଠୀଙ୍କ ମୃତଦେହ । ୪ ଜଣଙ୍କ ମୃତଦେହ ଦେଖି ହତବାକ୍ ହୋଇଯାଇଥିଲେ ସମସ୍ତେ । ସ୍ଥାନୀୟ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ମାମିନାଙ୍କ ସ୍ୱାମୀ ଅନନ୍ତ ସେଠୀଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମାତ୍ର ଦୁଇ ମାସ ପରେ ପରିବାର ମୂଳପୋଛ ହୋଇଥିବା ଖବର ସ୍ତବ୍ଧ କରି ଦେଇଥିଲା ସ୍ଥାନୀୟ ବାସିନ୍ଦାଙ୍କୁ । ଆତ୍ମହତ୍ୟା ଓ ହତ୍ୟାକାଣ୍ଡର ଚର୍ଚ୍ଚା ଭିତରେ ପାରପାଶି୍ୱର୍କ ପ୍ରମାଣ ଆଧାରରେ ବାପା ଅକ୍ଷୟ ସେଠୀକୁ ଗିରଫ କରିଛି ପୋଲିସ । ୪ ଦିନର ଜେରା ପରେ ପୋଲିସ ଆଗରେ ପୂରା ଷଡଯନ୍ତ୍ରର କାହାଣୀ ବଖାଣିଛି ଅକ୍ଷୟ ।