ମହାନଦୀର ମହାଭାରତ ! ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଗଠନ କରିବ କମିଟି

27

ଦିଲ୍ଲୀ ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଦିଲ୍ଲୀରେ ବସିଥିବା ତ୍ରିପାକ୍ଷିକ ବୈଠକ ଶେଷ ହୋଇଛି । ଏହି ବୈଠକରେ ମହାନଦୀ ବିବାଦ ନେଇ କୌଣସି ନିଷ୍କର୍ସ ବାହାରିପାରିନାହିଁ । ମହାନଦୀରେ ଚାଲିଥିବା ଛତିଶଗଡର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏହି ବୈଠକରେ ଦାବି କରିଥିଲା ଓଡ଼ିଶା । ତେବେ ଓଡ଼ିଶାର ଏହି ଦାବି ମାନିବାକୁ ମନା କରିଦେଇଛି ଛତିଶଗଡ ।

ମହାନଦୀ ଓଡ଼ିଶାର ଲାଇଫ୍ ଲାଇନ୍ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମହାନଦୀ ପ୍ରସଙ୍ଗରେ ଦୃଢ ଯୁକ୍ତି ରଖିଥିଲା ଓଡ଼ିଶା। ଛତିଶଗଡ ବ୍ୟାରେଜ ଦ୍ୱାରା ଓଡ଼ିଶା ପ୍ରଭାବିତ ହେବ ତେଣୁ ନିର୍ମାଣ କାମ ବନ୍ଦ ରଖିବାକୁ ଓଡ଼ିଶା ଦାବି ରଖିଥିଲା ।

ଓଡ଼ିଶାର ୬୫ପ୍ରତିଶତ ଲୋକ ମହାନଦୀ ଉପରେ ନିର୍ଭରଶୀଳ । ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜ ଦ୍ୱାରା ଭିତର କନିକା, ସାତକୋଶିଆ ଓ ଚିଲିକା ପ୍ରଭାବିତ ହେବ । ପରବର୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତି ନେବା ପାଇଁ ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟ କ୍ୟାବିନେଟ ବୈଠକ ଡକାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେପଟେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ୧ସପ୍ତାହ ମଧ୍ୟରେ କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତି । କମିଟି ଗଠନ ପାଇଁ ଉଭୟ ରାଜ୍ୟ ସହମତ ହୋଇଛନ୍ତି । ଉଭୟ ରାଜ୍ୟର ପ୍ରକଳ୍ପ ସମ୍ପର୍କରେ ତର୍ଜମା କରାଯିବ ସହ ପ୍ରସ୍ତାବର ତର୍ଜମା କରିବ ଏହି ଟିମ୍ । ଉଭୟ ରାଜ୍ୟ ଓ ପରିବେଶ ଅଧିକାରୀଙ୍କୁ ନେଇ ଏହି ଟିମ୍ ଗଠନ କରାଯିବ । ମୋଦି ସରକାର ଓଡ଼ିଶା ପ୍ରତି ଅନ୍ୟାୟ ହେବାକୁ ଦେବେନୋହିଁ ବୋଲି ଉମା ଭାରତୀ କହିଛନ୍ତି ।

ଅନ୍ୟପଟେ ବୈଠକ ପରେ ପ୍ରତିକ୍ରୀୟା ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମନ ସିଂହ। ଛତିଶଗଡରୁ ଯାଉଥିବା ପାଣିରେ ହୀରାକୁଦ ୫ଥର ଭର୍ତି ହେବ ବୋଲି ରମନ ସିଂହ କହିଛନ୍ତି । ଏହାସହ ମାତ୍ର ୧୫ପ୍ରତିଶତ ଜଳ ଛତିଶଗଡ ବ୍ୟବହାର କରୁଥିବା କହିଛି ଛତିଶଗଡ ।