ଆଜିଠୁ ବିଜେଡ଼ିର ମହାନଦୀ ପାଇଁ ମହାସଂଗ୍ରାମ ଯାତ୍ରା ଆରମ୍ଭ! ୧୫ଜିଲ୍ଲାର ମହାନଦୀ ଦୁଇ ପାଶ୍ୱର୍ରେ ହେବ ଜନ ସଚେତନତା ରାଲି, ଜାଣନ୍ତୁ ମହାନୀଦରୁ କିଭଳି ପାଣି ଶୋଷିନେଉଛି ଛତିଶଗଡ଼

4

କନକ ବ୍ୟୁରୋ : ଆଜି ଠାରୁ ବିଜେଡିର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ମହାନଦୀରେ ଓଡିଶାର ପ୍ରବେଶ ପଥ ଶୁଖାସୋଢାଠାରେ ଏକ ସମାବେଶ କରି ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାପରେ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏହି ଅଂଚଳ ଛତିଶଗଡ ସୀମାବର୍ତୀ ଅଂଚଳ ହୋଇଥିବାରୁ ବିଜେଡି ଏଠାରେ ସମାବେଶ କରି ମହାନଦୀ ଷଡଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଚାହିୁଁଛି । ଏହାଦ୍ୱାରା ଏକ ମଷ୍ଟରଷ୍ଟ୍ରୋକ ଖେଳିବାକୁ ଯୋଜନା ରଖିଛି ବିଜେଡି ।

mahanadi riverଏହି ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ବାଟରେ ଶତାଧିକ ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ମନ୍ଦିରରେ ଜଳ ଆଳତି କରାଯିବ । ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି ଛତିଶଗଡ଼ ପୁଣି ଏକ ବ୍ୟାରେଜ୍ ପାଇଁ ଟେଣ୍ଡର ଡକାଇଥିବା କହିଛି ବିଜେଡି । କେନ୍ଦ୍ର ସମସ୍ୟା ସମାଧାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିଜେଡି କହିଛି । ମହାନଦୀରେ ଛତିଶଗଡ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଓଡିଶା ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ଏହାକୁ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ କରୁଛି । ୨୦୧୯ ନିର୍ବାଚନ ପାଇଁ ପଶ୍ଚିମର ଜନମତ ଉପରେ ବି ବିଜେଡିର ନଜର ରହିଛି ।ତେଣୁ ମହାନଦୀ ଅବବାହିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ଲାଗି କସରତ ଆରମ୍ଭ କରିଛି ବିଜେଡି ।

MAHANADI WATERମହାନଦୀ ଉପରେ କେଉଁ ରାଜ୍ୟ ବନ୍ଧ ବାନ୍ଧିଛନ୍ତି ଏବଂ କେତେ ବନ୍ଧ ବାନ୍ଧିବାର ପ୍ରସ୍ତାବ ରହିଛି, ଏ ନେଇ ଲିଖିତ ଉତର ରଖିସାରିଛନ୍ତି ଜଳସଂପଦ ମନ୍ତ୍ରୀ । ମାଳ ମାଳ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ କରି ମହାନଦୀର ପ୍ରାକୃତିକ ଜଳ ପ୍ରବାହକୁ ରୋକି ଦେଇଛି ଛତିଶଗଡ । ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ସେଥିରେ ରହିଛି ୮ଟି ବଡ଼, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ । ସେହିପରି ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍ ।

ଏହା ଛଡ଼ା ୪ଟି ବଡ଼ ପ୍ରକଳ୍ପ, ୩ଟି ମଧ୍ୟମ ଧରଣର ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୧୨୫ଟି ଆନିକଟ । ମହାନଦୀର ଛତିଶଗଡ଼ ଅବବାହିକାରୁ ହୀରାକୁଦକୁ ଆସୁଥିବା ଜଳ ପରିମାଣ ଦିନକୁ ଦିନ ହ୍ରାସ ପାଇ ସଂକଟଜନକ ସ୍ଥିତି ଆଡକୁ ଗତି କରୁଛି । ହୀରାକୁଦରେ ଜଳ ହ୍ରାସ ପାଉଥିବାରୁ ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେବ । ବିଶେଷ କରି ତ୍ରିକୋଣଭୂମି ଅଂଚଳରେ ଜଳସେଚନ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ । ଏହାସହ ମହାନଦୀ ତଳ ମୁଣ୍ଡରେ ଥିବା ଜୈବ ବିବିଧତାରେ ଭରପୂର ସାତକୋଶିଆ ଅଭୟାରଣ୍ୟ, ଚିଲିକା, ଭିତରକନିକା, ଗହିରମଥା ଆଦି ପ୍ରାକୃତିକ ପରିବେଶ ଗଭୀର ଭାବେ ପ୍ରଭାବିତ ହେବ ।

no water in mahanadiଛତିଶଗଡର ଛୋଟବଡ ଡ୍ୟାମ ନିର୍ମାଣ ଯୋଗୁଁ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ଓଡିଶାର ଜୀବନରେଖା ହୋଇ ରହିଆସିଥବା ଏହି ନଦୀ ଏବେ ସାଂଘାତିକ ଅବସ୍ଥା ଆଡକୁ ଗତି କରୁଛି । ପାଇପ୍ ପାଣି ପାଇବା ପାଇଁ ମହାନଦୀ ଉପରେ ନିର୍ଭର କରୁଛନ୍ତି ରାଜ୍ୟର ୪୦ଟି ସହର । ଖରାଦିନେ ନଈପଠା ଶୁୂଖିଲା ପଡ଼ିଲାଣି । ମହାନଦୀ ଅବବାହିକାରେ ଅଧିକ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ କରାନଗଲେ ଆଗକୁ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ା ଭଳି ସହରକୁ ପାଣି ମିଳିବା କଷ୍ଟକର ହୋଇପାରେ ।

mahanadi conflictଏସବୁ ଭିତରେ ମହାନଦୀ ବିବାଦ ଯାଇଛି ସୁପ୍ରିମକୋର୍ଟକୁ । ମହାନଦୀ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ଓଡିଶା ଦାବି କରିଥିଲା । ସୁପ୍ରିମକୋର୍ଟ ଶୁଣିଥିଲେ ଓଡିଶାର ଦାବି । ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ମହାନଦୀ ଜଳ ବିବାଦ ନେଇ ଉଭୟ ଛତିଶଗଡ ଓ ଓଡିଶା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ।

ଛତିଶଗଡ ପକ୍ଷରୁ କୁହାଯାଇଥିଲା, ମହାନଦୀ ବିବାଦର ସମାଧାନ ପାଇଁ ୧୯୮୩ ଚୁକ୍ତିନାମା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଉ । ବିବାଦର ଆପୋଷ ସମାଧାନ ପାଇଁ ଛତିଶଗଡ ଆଗ୍ରହୀ । ତେବେ ଓଡିଶା କହିଥିଲା, ବୁଝାମଣା କେବଳ ଯୁଗ୍ମ ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା । ଟ୍ରିବ୍ୟୁନାଲ ବିନା ମହାନଦୀ ବିବାଦର ସମାଧାନ ସମ୍ଭବ ନୁହେଁ । ଅନ୍ତଃରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ର ଧାରା-୪ ଅନୁସାରେ ରାଜ୍ୟ ରାଜ୍ୟ ଭିତରେ ଜଳ ଆବଂଟନ ବିବାଦର ସମାଧାନ ନହୋଇପାରିଲେ ଟ୍ରିବ୍ୟୁନାଲ ଗଠନ କରି ସମାଧାନର ପନ୍ଥାକୁ ତ୍ୱରାନ୍ୱିତ କରାଯାଇପାରିବ । ଏହି ଆଇନର ପରିଧି ଭିତରେ ଟ୍ରିବ୍ୟୁନାଲର ରାୟକୁ କେନ୍ଦ୍ର ସରକାର ଗ୍ରହଣ କରିବେ । ଅଫିସିଆଲ ଗେଜେଟରେ ପ୍ରକାଶ କଲେ ତାହା ସୁପ୍ରିମକୋର୍ଟଙ୍କ ରାୟ ସହ ସମାନ ହୋଇଯିବ ଏବଂ ଏହାକୁ ମାନିବା ପାଇଁ ଉଭୟ ରାଜ୍ୟ ବାଧ୍ୟ ହେବେ ।

Comments are closed.