ଆସନ୍ତାକାଲି ମହାନଦୀ ପାଇଁ ବିଜେଡିର ମହାସଂଗ୍ରାମ! ଝାରସୁଗଡ଼ା ଓ ବରଗଡ଼ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

27

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ବିଜେଡି ଆରମ୍ଭ କରୁଛି ମହାନଦୀ ମହାସଂଗ୍ରାମ । ଏହି କାର୍ଯ୍ୟକ୍ରମ ୧୬ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଜେଡିର ମହାନଦୀ ବଂଚାଅ ଅଭିଯାନ । ଝାରସୁଗୁଡ଼ା ଓ ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ହେଉଥିବା ୧୫ଟି ଜିଲ୍ଲାର ମହାନଦୀ ଦୁଇ ପାଶ୍ୱର୍ରେ ଜନସଚେତନତା ରାଲି କରିବ ବିଜୁ ଜନତା ଦଳ । ପାରାଦୀପରେ ହେବ ଏହାର ସମାପନ ଉତ୍ସବ ।

ମହାନଦୀ ସୁୂରକ୍ଷା ପାଇଁ ବିଜେଡିର ଏହା ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ । ଝାରସୁଗୁଡ଼ାର ଲଖନପୁର ବ୍ଲକ୍ ସୁଖାଶୋଡ଼ାରୁ ଆରମ୍ଭ ହେବ ସଚେତନତା ଅଭିଯାନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖାଶୋଡ଼ାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏହାପରେ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଏହି ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଦେଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ।

ବାଟରେ ଶତାଧିକ ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ମନ୍ଦିରରେ ଜଳ ଆଳତି କରାଯିବ । ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି ଛତିଶଗଡ଼ ପୁଣି ଏକ ବ୍ୟାରେଜ୍ ପାଇଁ ଟେଣ୍ଡର ଡକାଇଥିବା କହିଛି ବିଜେଡି । କେନ୍ଦ୍ର ସରକାର ସମସ୍ୟା ସମାଧାନରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ମହାନଦୀ ସଚେତନତା ଯାତ୍ରାରେ ସବୁ ଦଳ ଓ ବୁଦ୍ଧିଜୀବୀ ସାମିଲ ହେବାକୁ ଆହ୍ୱାନ ଦେଇଛି ବିଜେଡି ।