ମହାନଦୀର ମହାମିଛ : ପୁଣି ଥରେ ରାଜ୍ୟ ସରକାରଙ୍କ ମିଛ ପଦାରେ ପଡ଼ିଛି

36

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀର ମହାମିଛ । ପୁଣି ଥରେ ରାଜ୍ୟ ସରକାରଙ୍କ ମିଛ ପଦାରେ ପଡ଼ିଛି । କେଲୋ ପ୍ରକଳ୍ପ ସଂପର୍କରେ ଛତିଶଗଡ଼ ଚିଠିର ଉତର ଦେଇଛନ୍ତି ଓଡ଼ିଶା ସରକାର । ୨୦୦୮ର ଏହି ଚିିଠି ମୁଖ୍ୟମନ୍ତ୍ରୀଙ୍କ ଦାମ୍ଭିକତା ଓ ମିଛକୁ ପଦାରେ ପକାଇ ଦେଇଛି ।
୨୦୦୮ ଅକ୍ଟୋବର ୪ ତାରିଖରେ ସେତେବେଳର ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହରିଶ୍ ଚନ୍ଦ୍ର ବେହେରା ଉତର ଦେଇଛନ୍ତି ଛତିଶଗଡ଼ର ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ନମ୍ବର ହେଉଛି-୧୫୭୨୯ । କେଲୋ ପ୍ରକଳ୍ପ ସଂପର୍କରେ ନୋ ଅବଜେକସନ୍ ସାର୍ଟିଫିକେଟ୍ ବା ଏନ୍ଓସି ପାଇଁ ଓଡିଶାକୁ ଛତିଶଗଡ଼ ସରକାର ଲେଖିବା ପରେ ଏହାର ଉତର ଦେଇଥିଲା ଓଡ଼ିଶା । ଯେଉଁଥିରେ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି- ଓଡିଶାକୁ କେତେ ପରିମାଣର ମହାନଦୀ ପ୍ରବାହିତ ହେବ ସେ ସଂପର୍କରେ ଛତିଶଗଡ଼ ସ୍ପଷ୍ଟ କରିବା ଉଚିତ । ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର କେଉଁ ଆଧାରରେ କହିଲେ ଯେ ତାଙ୍କୁ କେଲୋ ପ୍ରକଳ୍ପ ବାବଦରେ ଅନ୍ଧାରରେ ରଖାଯାଇଛି?

କେଲୋ ପ୍ରକଳ୍ପ ସଂପର୍କରେ ଓଡ଼ିଶାକୁ ଅନ୍ଧାରରେ ରଖାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ର ମନ୍ତ୍ରୀ ଡ. ସଂଜୀବ ବାଲ୍ୟାନଙ୍କ ବିବୃତି ବିଭ୍ରାନ୍ତିକର ବୋଲି ଆକ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀ । ତା’ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ସମାନ କଥା କହିଥିଲେ ।

ଉଦବେଗର ବିଷୟ ହେଉଛି ମହାନଦୀ ପାଇଁ ଯୁଦ୍ଧ ଭିତରେ ରାଜନୀତି ସବୁଠାରୁ ବଡ଼ ଅସ୍ତ୍ର ପାଲଟିଯାଇଛି । ଓଡିଶାକୁ ଏକ ବଡ଼ ଧରଣର କ୍ଷତି ଘଟାଇବାକୁ ଯାଉଛି ଛତିଶଗଡ଼ । ଆଉ ଏହି ସମୟରେ ଚିଠିର ଆଳ ନେଇ ଦୋଷ ଛଡ଼ାଇବାକୁ ବସିଥିବା ବିଜେଡି ପାର୍ଟି ନୁହେଁ, ମାଟି ପାଇଁ ଲଢ଼େଇ କରିବା ଉଚିତ ।