ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ ରାଜ୍ୟ କଂଗ୍ରେସ୍

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ମହାନଦୀକୁ ନେଇ ରାଜ୍ୟ କଂଗ୍ରେସ ଖୁବ ଶୀଘ୍ର ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି ମହାନଦୀକୁ ବଂଚାଇବାକୁ ଅନୁରୋଧ କରିବ କଂଗ୍ରେସ । ଓଡିଶା ତଥା ଓଡିଶାବାସୀଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆଯିବ । ବିଜେଡି ଇଚ୍ଛା ପ୍ରକାଶ କଲେ ମିଳିତ ଭାବେ ରାଷ୍ଟ୍ରପତିଙ୍କୁ ଭେଟିଲେ କୌଣସି ଆପତି ନାହିଁ ।

ଆଶା କରୁଛୁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ ଉଦୟ ହେବ ଆଉ ସେ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହାସହ ଲୋୟର ସୁକତେଲ  କଥା ଉଠାଇଲେ ବିରୋଧୀ ଦଳ ନେତା, ପ୍ରକଳ୍ପକୁ ମଂଜୁରୀ ମିଳିଛି ହେଲେ କାହିଁକି ଆଗେଇ ପାରୁ ନାହିଁ ସେ ପ୍ରଶ୍ନ କରିଛନ୍ତି । ଏହାସହ ଲୋୟର ପିଏମଜିରେ ଧାରଣା ଦେଉଥିବା ସଂଗଠନର ଦାବିକୁ ମଧ୍ୟ ବିଧାନସଭାରେ ଉଠାଇଛନ୍ତି । ସରକାର ସେମାନଙ୍କୁ ସ୍ଥାୟୀ କରନ୍ତୁ, ନହେଲେ ସମସ୍ୟାର ସମାଧାନ ପାଇଁ ବାଟ ଖୋଜନ୍ତୁ ।

ବିରୋଧୀ ଦଳ ନେତାଙ୍କୁ ସମର୍ଥନ ଦେଲେ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ଆଜି ବିଧାନସଭା ଆରମ୍ଭରୁ ଉଠିଥିଲା ମହାନଦୀ ଝଡ।  ମୁଖ୍ୟମନ୍ତ୍ରୀ ଗୃହରେ ରଖିଥିବା ବିବୃତିକୁ ନେଇ କ୍ଷୁବ୍ଧ ବିରୋଧୀ ଗୃହରେ ହଟଗୋଳ କରିଥିଲେ । ବିରୋଧୀ ଗୃହର ମଧ୍ୟଭାଗରେ ହୋହଲ୍ଲା କରିବା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଛି । ମହାନଦୀ ପ୍ରସଙ୍ଗରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଚୋର ଧରାପଡିବା ପରେ ନିଜେ ଚୋର ଚୋର ବୋଲି ପାଟି କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହାନଦୀର ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ତାହା ଗୃହରେ ଜଣାନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।