ସଂସଦରେ ବିଜେଡି ଉଠାଇଲା ମହାନଦୀ ବିବାଦ ପ୍ରସଙ୍ଗ : ଆଲୋଚନା ପାଇଁ ଡାକିଲେ ଗଡକରୀ , ମନାକଲେ ନବୀନ

29

କନକ ବ୍ୟୁରୋ : ମହାନଦୀକୁ ନେଇ ଓଡିଶା-ଛତିଶଗଡ ତୁତୁମେମେ ଭିତରେ ସଂସଦରେ ବିଜେଡି ଉଠାଇଛି ଜଳ ବିବାଦ ପ୍ରସଙ୍ଗ । ମହାନଦୀ ବିବାଦର ସମାଧାନ ପାଇଁ  ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ଦର୍ଶାଇ କେନ୍ଦ୍ରକୁ ଘେରିଛି ବିଜେଡି । ଦଳୀୟ ସାଂସଦ କହିଛନ୍ତି, ଛତିଶଗଡକୁ ଏକପାଖିଆ ସମର୍ଥନ ଦେଉଛନ୍ତି କେନ୍ଦ୍ର ସରକାର ।  ଜାଣିଶୁଣି  ଟ୍ରିବ୍ୟୁନାଲ ଗଠନ କରାଯାଉନାହିଁ । ବିଜେଡି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ କହିଛନ୍ତି , ୩ ମାସରେ ଗଠନ ହେବ ଟ୍ରିବୁନାଲ ।

ମହାନଦୀ ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରି ପାଣି ଅଟକାଉଛି ଛତିଶଗଡ । ଫଳରେ ଅଣମୌସୁମୀ ଋତୁରେ ଶୁଖିଲା ପଡୁଛି ହୀରାକୁଦ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି କରୁଛି ଓଡିଶା । ହେଲେ ଆପୋଷ ବୁଝାମଣା କରି ବିବାଦର ସମାଧାନ କରିବାକୁ ବାରମ୍ବାର କହୁଛି କେନ୍ଦ୍ର । ସୁପ୍ରିମକୋର୍ଟରେ ବି ମାମଲା ଚାଲିଛି । ଏଭଳି ସ୍ଥିତିରେ ପୁଣି ଆଲୋଚନା ପାଇଁ ଓଡିଶା ସରକାରଙ୍କୁ ଡାକିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବଳ କଷାକଷି ଚାଲିଛି । ଗୋଟିଏ ପଟେ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧୁଛି ଛତିଶଗଡ, ଅନ୍ୟପଟେ ଓଡିଶାକୁ ଜଳପ୍ରବାହ କମିବାରେ ଲାଗିଛି । ଏଭଳି ସ୍ଥିତିରେ ସମସ୍ୟାର ସମାଧାନ କରିବା ବଦଳରେ ମହାନଦୀକୁ ନେଇ ଚାଲିଛି ରାଜନୀତି ।