ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ : ନରସିଂହଙ୍କ ନେତୃତ୍ୱରେ ଦିଲ୍ଲୀ ଅଭିମୁଖେ ବିଧାୟକ ଦଳ

27

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଛି କଂଗ୍ରେସ ବିଧାୟକ ଦଳ । ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଯାଉଥିବା ଏହି ପ୍ରତିନିଧିଦଳ ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିବ ।

ରାଜ୍ୟ ସ୍ୱାର୍ଥ ରକ୍ଷା କରିବାରେ ବିଜେଡି ବିଫଳ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କେବେ ରାଷ୍ଟ୍ରପତିଙ୍କୁ ଭେଟିବେ ରାଜ୍ୟ କଂଗ୍ରେସର ବିଧାୟକ ଦଳ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ମିଲିଥିବା ସୂଚନା ଅନୁସାରେ, ୧୩, ୧୪ ଓ ୧୫ ତାରିଖରେ ଏମାନେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିବା ଲାଗି ସମୟ ଲୋଡି ପାରନ୍ତି । ଏହି ଗସ୍ତ ସମୟରେ ବିଧାୟକ ଦଳ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି ।

ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟର ସ୍ୱାର୍ଥରକ୍ଷା ଲାଗି ଦିବ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିଧାନସଭା ମୌସୁମୀ ଅଧିବେସନରେ ମହାନଦୀ ପ୍ରସଙ୍ଗ ଆଲୋଚନା ବେଳେ ଏହି ଘୋଷଣା କରିଥିଲେ ନରସିଂହ । ଅନ୍ୟ ଦଳର ପ୍ରତିନିଧି ସାଙ୍ଗରେ ଯିବାକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ତେବେ କଂଗ୍ରେସର ଏହି ଦିଲ୍ଲୀ ଗସ୍ତକୁ ସମାଲୋଚନା କରିଛନ୍ତି ବିଜେପି ଓ ବିଜେଡି ।