ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଆଜି ଓଡ଼ିଶା ଫେରୁଛନ୍ତି ବିଜେଡିର ୧୨ ଜଣିଆ ଟିମ୍

28

କନକ ବ୍ୟୁରୋ : ଛତିଶଗଡରେ ମହାନଦୀ ଉପରେ ନିର୍ମାଣ ହେଉଥିବା ବ୍ୟାରେଜ ଗୁଡିକ ପ୍ରଭାବ ନେଇ ତଥ୍ୟ ହାସଲ ପାଇଁ ଗସ୍ତ କରିଥିଲା ବିଜେଡିର ଏକ ପ୍ରତିନିଧି ଦଳ । ଏହି ଦଳ ୨ ଦିନିଆ ଗସ୍ତ ସାରି ଆଜି ଫେରୁଛି ଓଡିଶା । ଏହି ଦଳ ତାଙ୍କର ପରିଦର୍ଶନର ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବେ । ଏହା ଆଧାରରେ ସରକାର ପରବର୍ତୀ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । ଛତିଶଗଡରେ ଏକ ଉଚ୍ଚସ୍ତରୀୟ କମିଟି ସହ ମଧ୍ୟ ଏହି ପ୍ରତିନିଧି ଦଳ ଆଲୋଚନା କରିଥିଲେ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ହାସଲ କରିପାରିନାହାନ୍ତି । ଶିଳ୍ପକୁ ପାଣିଯୋଗାଇବା ପାଇଁ କଂପାନୀଙ୍କ ସହ ମିଶି ଏହି ନିର୍ମାଣ ଚାଲିଛି । ତେବେ ଆଗାମୀ ଦିନରେ ପ୍ରକଳ୍ପ ଗୁଡିକ ସବିଶେଷ ତଥ୍ୟ ଲିଖିତ ଭାବେ ଜଣାଇବେ ବୋଲି ଛତିଶଗଡ ପ୍ରତିନିଧି ଦଳର ମୁଖ୍ୟ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଚ୍. ଆର କୋଠାରେ କହିଥିବା ଜଣାପଡିଛି।

କମ୍ପାନୀଙ୍କୁ ପାଣିଯୋଗାଇବା ପାଇଁ ମହାନଦୀ ପାଣିକୁ ଟେକି ଦେଇଛନ୍ତି ପଡୋଶୀ ରାଜ୍ୟ । କିନ୍ତୁ ନିର୍ମାଣ ହେଉଥିବା ବ୍ୟାରେଜର ଶୈଳୀ ଦେଖିଲେ ଅଣ ମୌସୁମୀ ସମୟରେ ଓଡିଶାକୁ ମହାନଦୀ ପାଣି ବୁନ୍ଦାଏ ବି ଆସିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଜେଡି ପ୍ରତିନିଧି ଦଳରେ ଥିବା ମନ୍ତ୍ରୀ ସଂଜୟ ଦାସବର୍ମା । ଏବେ ଦଳ ମତ ନିର୍ବିଶେଷରେ ସମସ୍ତେ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବାକୁ ପ୍ରତିନିଧି ଦଳ ଆହ୍ୱାନ ଦେଇଛି। ଅନ୍ୟପଟେ ଆଗାମୀ ବିଧାନସଭା ଅଧିବେଶନରେ ଏହି ମହାନଦୀ ପାଣି ସମସ୍ୟା ସର୍ବ ସମ୍ମତିରେ ଏକ ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା।