ମହାନଦୀ ବନ୍ୟାଜଳ ଛାଡିବା ନେଇ ଓଡିଶାକୁ କୌଣସି ସୂଚନା ଦେଇନାହିଁ ଛତିଶଗଡ : କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି କହିଲେ ବିଜେଡି ସାଂସଦ ରବିନ୍ଦ୍ର କୁମାର ଜେନା

40

କନକ ବ୍ୟୁରୋ : ମହାନଦୀକୁ ନେଇ କୌଣସି ସ୍ପଷ୍ଟ ଉତ୍ତର କେନ୍ଦ୍ର ସରକାର ଗୃହରେ ରଖି ପାରୁନଥିବାରୁ ବିଜେଡି ନେତାମାନେ ଘେରିଛନ୍ତି କେନ୍ଦ୍ର ସରକାରଙ୍କୁ । ମହାନଦୀର ଜଳକୁ ଖରାଦିନେ ଛତିଶଗଡ ଜୋର ଜବରଦସ୍ତ ଅଟକାଇ ରଖିଲା । ତେଣୁ ସେ ସମୟରେ ଓଡିଶାରେ ଅନେକ ସ୍ଥାନରେ ପାଣି ସମସ୍ୟା ଦେଖାଗଲା । ପରେ ଲଘୁଚାପଜନିତ ପ୍ରବଳ ବର୍ଷାରେ ଛତିଶଗଡ ମହାନଦୀରେ ବନ୍ୟାଜଳ ଛାଡିଥିଲା । ତେଣୁ ଏପରି ମନେଭାବକୁ ନେଇ ଗୁରୁବାର ସସଂଦରେ ସାସଂଦ ରବୀନ୍ଦ୍ର ଜେନା ଜଳସମ୍ପଦ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । କୈାଣସି ବିଷୟରେ ଓଡିଶାକୁ ଅବଗତି କରାଯାଉନାହିଁ । ତେବେ ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣଧୀନ ଡ୍ୟାମ୍/ବ୍ୟାରେଜ ଜଳ ନିଷ୍କାସନ କରିବା ତଥା ଗେଟ୍ ଅପରେସନ୍ ସିଡ୍ୟୁଲ୍ ଗତିବିଧି ସମ୍ପର୍କରେ ଓଡ଼ିଶାକୁ ଅବଗତ କରାଯିବା ନେଇ ଆଜି ସଂସଦରେ ପ୍ରଶ୍ନ କରାଯାଇଥିଲା । ତେବେ ଏ ସମ୍ପର୍କିତ ପ୍ରଶ୍ନରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ସିଂହ ମେଘଓ୍ଵାଲ୍ କୌଣସି ପ୍ରକାର ଉତ୍ତର ଦେଇନାହାନ୍ତି ।

ବିଜେଡି ସାଂସଦ ରବିନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ମହାନଦୀ ଜଳବିବାଦ ସମ୍ପର୍କିତ ୪ଟି ପ୍ରଶ୍ନ ଅଣତାରକା ପ୍ରଶ୍ନାବଳୀରେ ପଚରା ଯାଇଥିଲା । ପ୍ରଥମ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ମେଘଓ୍ଵାଲ ୨୦୦୩ରୁ ୨୦୧୬ ମଧ୍ୟରେ ଛତିଶଗଡ଼କୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଅନ୍ତର୍ଗତ ବୈଷୟିକ ଉପଦେଷ୍ଟା କମିଟି ଦ୍ୱାରା ୧୫ଟି ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ସୂଚନା ଦେଇଥିବା ବେଳେ ମହାନଦୀରେ ୬ଟି ବ୍ୟାରେଜ୍ ନିର୍ମାଣ ପାଇଁ ପରିବେଶ ମଂଜୁରି ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ତଥ୍ୟ ଉପସ୍ଥାପନ କରିଥିଲେ । କିନ୍ତୁ ଛତିଶଗଡ଼ ଦ୍ୱାରା ଡ୍ୟାମ୍ରୁ ଜଳ ନିଷ୍କାସନ ସମ୍ପର୍କରେ ଓଡ଼ିଶାକୁ ଅବଗତ କରାଯିବା ସମ୍ପର୍କରେ କିଛି ଉତ୍ତର ରଖିନଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୈାଣସି ଉତ୍ତର ଗୃୃହରେ ରଖାଯାଇ ନଥିବାରୁ ସରକାର ପକ୍ଷପାତିତା କରୁଥିବା କହିଛନ୍ତି ସାସଂଦ ରବୀନ୍ଦ୍ର ଜେନା। ଛତିଶଗଡ ନିଜ ସୁବିଧା ଅନୁସାରେ ପାଣି ରଖୁଛି ଯେତେବେଳେ ଅତ୍ୟଧିକ ବର୍ଷା ହେଉଛି ମହାନଦୀରେ ପାଣି ଛାଡି ଦେଉଛି ଯାହା ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖାଯାଉଛି । ତେବେ ମହାନଦୀକୁ ନେଇ ଅନେକ ଦିନ ହେଲାଣି ଓଡିଶା ଓ ଛତିଶଗଡ ମୁହାଁମୁହିଁ ହୋଇଛନ୍ତି ।