ଦିଲ୍ଲୀରେ ଚାଲିଲା ମହାନଦୀ ଲଢେଇ ! ଜନ୍ତରମନ୍ତରଠାରେ ୫ ଦିନ ଧରି ଚାଲିବ ସତ୍ୟାଗ୍ରହ

20

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଲା ମହାନଦୀ ଲଢେଇ । ସତ୍ୟାଗ୍ରହ ଆରମ୍ଭ କଲେ ସରକାର । ଆଜିଠାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଛି ୫ ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନ । ଧାରଣା ଓ ସତ୍ୟାଗ୍ରହ ମାଧ୍ୟମରେ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ମହାନଦୀ ଜଳବିବାଦର ସମାଧାନ ପାଇଁ ମୋଦି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା କୁହାଯାଉଛି । ଓଡିଶାରୁ ୨ଶହ ଜଣିଆ ପ୍ରତିନିଧିମଣ୍ଡଳି ଦିଲ୍ଲୀରେ ଧାରଣା ଦେଇଛନ୍ତି ।

ସଂସଦର ଉଭୟ ଗୃହର ୭ଶହ ୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବାକୁ ନିବେଦନ କରାଯାଇଛି । ଏହାସହିତ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଆନ୍ଦୋଳନର ପ୍ରମୁଖ ନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ । ଓଡିଶାର ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହରେ ବସିବେ ବୋଲି ନିଷ୍ପତି ହୋଇଛି ।

ସୂଚନା ମୁତାବକ, ମହାନଦୀ ବଂଚାଅ ଆନ୍ଦୋଳନର ମୁଖପାତ୍ର ବାସୁଦେବ ଭଟ୍ଟ ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚିତ କରିଛନ୍ତି ଯେ, ଓଡ଼ିଶାରେ ମହାନଦୀ ପ୍ରବାହିତ ହୋଇଥିବା ଜିଲ୍ଲାଗୁଡ଼ିକର ୧୭୦ ଜଣ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏଥିରେ ୩୦ଜଣ ମହିଳା ସଦସ୍ୟ ମଧ୍ୟ ରହିଛନ୍ତି । ସଂସଦର ଉଭୟ ଗୃହର ୭୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବା ପାଇଁ ଆବେଦନ କରାଯାଇଛି ।

ଅଗଷ୍ଟ ୯ କ୍ରାନ୍ତିଦିବସରେ ଆନ୍ଦୋଳନର ପ୍ରମୁଖ ନେତା, ରାଜନୈତିକ ଦଳ ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଓଡ଼ିଶାର ସମସ୍ତ ୩୧ଜଣ ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହରେ ବସିବେ । ଆନ୍ଦୋଳନକାରୀମାନଙ୍କ ଦ୍ୱାରା ମହାନଦୀ ଜଳକୁ ଦିଲ୍ଲୀ ନିଆଯାଇଛି । ୩୧ଜଣ ସାଂସଦ ୩୧ଟି କଳସରେ ମହାନଦୀ ଜଳକୁ ଧରି ସତ୍ୟାଗ୍ରହରେ ବସିବେ ବୋଲି କୁହାଯାଇଛି ।