ଆସନ୍ତାକାଲି ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ

77

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ଆଉ ଏହାସହ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । କାଲି ହୀରାକୁଦ ଡ୍ୟାମର ଗେଟ୍ ଖୋଲିବ ବୋଲି ସୂଚନା ମିଳିବା ପରେ ଏବେ ତଳ ମୁଣ୍ଡରେ ଥିବା ଲୋକଙ୍କ ମନରେ ବନ୍ୟା ଭୟ ସୃଷ୍ଟି ହୋଇଛି । ଦିନ ୩ଟା ସୁଦ୍ଧା ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୬ ଦଶମିକ ୪୫ ଫୁଟ ରହିଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଏପଟେ ନରାଜ ଠାରେ ଜଳସ୍ତର ୩ ଫୁଟ ବୃଦ୍ଧି ପାଇଛି । ଲଗାତର ଭାବେ ମୁଣ୍ଡଳୀର ଜଳପତନ ବୃଦ୍ଧି ପାଉଥିବାବେଳେ ସମ୍ବଲପୁର ଓ ବୁର୍ଲାର ବାଦଲ ଫଟା ବର୍ଷା ଜଳ ମଧ୍ୟ ନରାଜଠାରେ ପହଂଚିସାରିଛି । ବୈତରଣୀରେ ଜଳସ୍ତର ଆଖୁଆପଦରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ବଂଶଧାରାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି ।

ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୬ ଦଶମିକ ୧୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ହୀରାକୁଦ ମଧ୍ୟକୁ ୨ଲକ୍ଷ ୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ତେଣୁ ଆସନ୍ତାକାଲି ହୀରାକଦୁର ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବାକୁ ସ୍ଥିର ହୋଇଛି । ପ୍ରାୟ ୩ ଲକ୍ଷ କ୍ୟୁସେକ ବନ୍ୟାଜଳ ଛାଡିବାକୁ ନିଷ୍ପତି ହୋଇଛି । ହୀରାକୁଦରୁ ବନ୍ୟାଜଳ ନରାଜଠାରେ ପହଂଚିବାକୁ ପ୍ରାୟ ୩୬ ଘଂଟା ସମୟ ଲାଗିବ ବୋଲି ଜଣାପଡିଛି ।

ଅନ୍ୟପଟେ ନରାଜ ଠାରେ ଜଳସ୍ତର ୩ ଫୁଟ ବୃଦ୍ଧି ପାଇଛି । ଲଗାତର ଭାବେ ମୁଣ୍ଡଳୀର ଜଳପତନ ବୃଦ୍ଧି ପାଉଥିବାବେଳେ ସମ୍ବଲପୁର ଓ ବୁର୍ଲାର ବାଦଲ ଫଟା ବର୍ଷା ଜଳ ମଧ୍ୟ ନରାଜଠାରେ ପହଂଚିସାରିଛି । ଏପଟେ ମଙ୍ଗଳବାର ହୀରାକୁଦ ଗେଟ ଖୋଲାଯିବା ପରେ ଜଳଭଣ୍ଡାରର ଉଦବୃତ ଜଳ ମୁଣ୍ଡଳୀରେ ପହଚିଂବାର ଥିବାରୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା ରହିଛି । ଯାହାକୁ ନେଇ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ତେବେ ହୀରାକୁଦର ପାଣି ମହାନଦୀ ଦେଇ ତଳ ମୁଣ୍ଡରେ ପହଂଚିଲାବେଳକୁ କେଉଁସବୁ ଅଂଚଳରେ ବନ୍ୟା ଆଶଙ୍କା ଉପୁଜିପାରେ ତାହା ଉପରେ ନଜର ପକାନ୍ତୁ । ବିନକା ସୋନପୁର, ବାଉଁଶୁଣି, ବୈଦ୍ଧ, ଆଠମଲ୍ଲିକ, ସାରକୋଶିଆ, ଖୋର୍ଦ୍ଧା, କଟକ, ଜଗତପୁର, ଉରାଳି, ସାଲେପୁର, ମାର୍ଷାଘାଇ, ପାଟକୁରା, ମହାକାଳପଡା, କୁଜଙ୍ଗ ଓ ପାରାଦୀପ ଆଦି ନିମ୍ନ ଭାଗରେ ଥିବା ଅଂଚଳ ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏସବୁ ଭିତରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ବଂଶଧାରାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜରୁରୀ ବିଭାଗକୁ କୁହାଯାଇଛି । ବର୍ଷା ଯୋଗୁ ରାଜ୍ୟରେ ଆଂଶିକ ଭାବେ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପାଖାପାଖି ୧ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।