ମହାନଦୀ ଉପରେ ଛତିଶଗଡର ପ୍ରକଳ୍ପ ନିର୍ମାଣ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ଚିତ୍ର : ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପଡିଛି ମହାନଦୀ

34

କନକ ବ୍ୟୁରୋ : ବାଙ୍କୀର ବୈଦେଶ୍ୱର ଘାଟ । ଆପଣ ଯଦି ୪ – ୫ ବର୍ଷ ପୂର୍ବରୁ ଏହି ଘାଟକୁ ଦେଖିଥିବେ ତେବେ ସେଦିନ ଓ ଆଜିର ଦିନର ମହାନଦୀ ଭିତରେ ଏକ ବଡ଼ ଫରକ ଜାଣିପାରିବେ । ୫-୬ ବର୍ଷ ପୂର୍ବରୁ ଏହି ଘାଟରୁ ବଡ଼ମ୍ବା ନରସିଂହପୁର ଯିବାପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ଥିଲା । ବାଙ୍କୀରୁ ପରିବାପତ୍ର ବଡ଼ମ୍ବା ନରସିଂହପୁର ଯାଏ । ସେଠାରୁ ମୁଗ ବିରି ଆଦି ବାଙ୍କୀକୁ ଆସେ । ଏକଥା ଏବେ କାହାଣୀ ପରି ଲାଗୁଛି । କାରଣ ସେ ମହାନଦୀ ଆଉ ନାହିଁ ।

ବାଙ୍କୀ ସ୍ଥିତ ସୁବର୍ଣ୍ଣପୁର ଘାଟ । ପୂର୍ବରୁ ଏଠାରେ ମଧ୍ୟ ଡିସେମ୍ବର ମାସରେ ମହାନଦୀ ଉଛୁଳିବା ଅବସ୍ଥାରେ ଥାଏ । ସେପଟେ ରେଣୁକା ଘାଟବି ସେହିଭଳି । ସବୁଠି ସମାନ ଅବସ୍ଥା । ଓଡ଼ିଶାର ଲାଇଫଲାଇନ ମହାନଦୀ ଅବସ୍ଥା ଯେ ଏଭଳି ସ୍ଥିତିକୁ ଆସିଯିବ ତାହା ବୋଧହୁଏ ଏହି ନଈକୂଳିଆ ଲୋକେ କେବେ ବି ବିଶ୍ୱାସ କରିନଥିବେ ।

ମୁଖତ୍ୟ ୨୦୧୪ ପରେ ସାଙ୍ଘାତିକ ଭାବେ ଜଳପ୍ରବାହ କମିଯାଇଛି । ୨୦୧୪ରେ ୫୫୫ ମିଲିୟନ ଏକର ଫୁଟ୍ ଜଳ ହୀରାକୁଦ ବନ୍ଧ ଭିତରକୁ ପ୍ରବେଶ କରୁଥିବାବେଳେ ଚଳିତ ବର୍ଷ ମୌସୁମୀ ସମୟରେ ମାତ୍ର ୧୧.୮୭୧ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରୁଛି । ଏଥିରୁ ଅନୁମାନ କରିହେବ ବାଙ୍କୀଠାରେ ମହାନଦୀ କାହିଁକି ଆଜି ଶୁଖିଯାଇଛି ।