ବୌଦ୍ଧରେ ଶୁଖିଲା ପଡିଛି ମହାନଦୀ ! ନଦୀ ଭିତରେ ଚୂଆ ଖୋଳି ପାଣି ନେଉଛନ୍ତି ଲୋକେ

41

କନକ ବ୍ୟୁରୋ : ମାସ ୨ଟା ପରେ ଖରାଦିନ । ହେଲେ ଏବେଠୁ ଦେଖାଦେଲାଣି ଜଳ ସଂକଟ । ଶୁଷ୍କ ହେବାରେ ଲାଗିଛି ମହାନଦୀ । ଯୁଆଡେ ଦେଖିବା ବାଲି । ପାଣି ପାଇଁ ଲୋକମାନେ ଡହଳବିକଳ ହେଉଥିବା ବେଳେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

boudhବୌଦ୍ଧ ଜିଲ୍ଲା ଦେଇ ବହିଯାଇଥିବା ମହାନଦୀରେ ଯୁଆଡେ ଦେଖିବ ବାଲି ପରିପୂର୍ଣ୍ଣ । ଖରା ଦିନ ଆସିବା ପୂର୍ବରୁ ଶୁଖିଯାଇଛି ନଦୀ । ୨/୩ ବର୍ଷ ପୂର୍ବରୁ ମହାନଦୀରେ ଏହି ସମୟରେ ପାଣି ଭର୍ତ୍ତି ହୋଇରହିଥାଏ । ହେଲେ ଧୀରେ ଧୀରେ ଏହା ଶୁଷ୍କ ହୋଇ ସଂପୂର୍ଣ୍ଣ ବାଲୁକା ଶଯ୍ୟାରେ ପରିଣତ ହୋଇଗଲାଣି । ବୁନ୍ଦାଏ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଏଥିପାଇଁ ଓଡିଶା ଓ ଛତିଶଗଡ ସରକାରକୁ ଦାୟୀ କରିଛନ୍ତି ।

ବୌଦ୍ଧ ଜିଲ୍ଲାର କୁଶଙ୍ଗ ଗାଁରେ  ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ଷ୍ଟାଣ୍ଡ ପୋଷ୍ଟ ବି ରହିଛି । ହେଲେ ଷ୍ଟାଣ୍ଡ ପୋଷ୍ଟରୁ ପାଣି ବାହାରୁନି । ଗୋଟିଏ ମାତ୍ର ନଳକୂପ ଥିବାରୁ ପାଣି ପାଇଁ ଲମ୍ବା ଲାଇନ ଲାଗୁଛି । ଏପରିକି ମାଇଲ ମାଇଲ ଦୂର ଯାଇ ଚୂଆ ଖୋଳି ପାଣି ଆଣିବାକୁ ପଡୁଛି । ସେପଟେ ୬ ମାସ ଧରି ଏନେଇ ଦାବି ହେଉଥିଲେ ସୁଦ୍ଧା କେହି ଶୁଣୁନଥିବାରୁ ଗରା,ବାଲ୍ଟି ଧରି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ସେପଟେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ।  ପ୍ରଶାସନ ଏଦିଗରେ ଦୃଷ୍ଟି ନଦେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଲୋକେ ।