ଶୁଖିଯିବ ମହାନଦୀ ! ଓଡିଶା ଛାତିରେ ଛନକା ପୂରାଇଲା ଛତିଶଗଡ, ବେଆଇନ ନିର୍ମାଣ ଆଣିବ କି ବିପଦ ?

126

କନକ ବ୍ୟୁରୋ : ମହାନଦୀକୁ ନେଇ ରାଜନୈତିକ ତାତି ଜୋର ଧରୁଥିବା ବେଳେ, ଛତିଶଗଡ ବନ୍ଧ ମହାନଦୀ ଉପରେ କଣ ପ୍ରଭାବ ପକାଇଛି ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମହାନଦୀ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ କେତେ ପରିମାଣରେ ଜଳ ପ୍ରବେଶ କରୁଛି ତାର ହିସାବ ହସ୍ତଗତ ହୋଇଛି । ଗତ ୮ ବର୍ଷର ଜଳପ୍ରବେଶ ପରିମାଣ ଦେଖିଲେ ଆପଣ ବି ଏହି ପ୍ରଭାବ ସଂପର୍କରେ ଜାଣିପାରିବେ । ମୁଖ୍ୟତଃ ଗତ ୫ ବର୍ଷ ଭିତରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ପ୍ରାୟ ୫୦ ପ୍ରତିଶତ କମିଯାଇଛି ।

 ଶୀତ ଦିନେ ଶୁଖିଲା ପଡିଛି ମହାନଦୀ । ଯାହା ବୟାନ କରୁଛି- ଓଡ଼ିଶାର ଏହି ଲାଇଫ ଲାଇନ ବିପଦରେ ଅଛି “ମହାନଦୀ ଉପରେ ଛତିଶଗଡ଼ ସରକାର ବଡ଼ ବଡ଼ ବନ୍ଧ ବାନ୍ଧିବା ଫଳରେ ଗତ ୪ ବର୍ଷ ହେଲା ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ଜଳ ପ୍ରବାହ ସାଙ୍ଘାତିକ ଭାବେ ପ୍ରଭାବିତ ହେଉଛି” ।

vlcsnap-2017-12-07-21h05m32s802୨୦୧୧ ମସିହାରେ ମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ୨୬.୦୧୭ ମିଲିୟନ ଏକର ଫିଟ ଜଳ ପ୍ରବେଶ କରିଥିବା ବେଳେ ୨୦୧୨ ମସିହାରେ ଏହି ପରିମାଣ ଥିଲା ୨୩.୦୫୩ ମିଲିୟନ ଏକର ଫିଟ । ୨୦୧୩ରେ ମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥିଲା ୨୬.୦୦୪ ମିଲିୟନ ଏକର ଫିଟ । ସେହିପରି ୨୦୧୪ରେ ୨୬.୫୫୫ ପରିମାଣର ଜଳ ଜଳଭଣ୍ଡାରକୁ ପ୍ରବେଶ କରିଥିଲା କିନ୍ତୁ ୨୦୧୪ ପରେ ଏଥିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । କାରଣ ସେତେବେଳେକୁ ଛତିଶଗଡ଼ର ବନ୍ଧ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇସାରିଥିଲା । ୨୦୧୫ରେ ହୀରାକୁଦ ଜଳଭଣ୍ଡାରକୁ ମୌସୁମୀ ସମୟରେ ପ୍ରବେଶ କଲା ମାତ୍ର ୧୩.୨୪୦ ମିଲିୟନ ଏକର ଫିଟ ଜଳ । ଅର୍ଥାତ ପ୍ରାୟ ୫୦ ପ୍ରତିଶତ କମିଲା । ୨୦୧୬ରେ ସେହି ମୌସୁମୀ ସମୟରେ ସାମାନ୍ୟ ଜଳପ୍ରବାହ ବଢି ୧୬.୬୭୨ ମିଲିୟନ ଏକର ଫିଟ ଜଳ ପ୍ରବେଶ କଲା, ୨୦୧୭ରେ ଏହି ପରିମାଣ ଆହୁରି କମିଗଲା । ଚଳିତବର୍ଷ ମୌସୁମୀରେ ମାତ୍ର ୧୧.୮୭୨ ମିଲିୟନ ଏକର ଫିଟ ଜଳ ପ୍ରବେଶ କରିଛି ।

vlcsnap-2017-12-07-21h05m35s649ଏହି ତଥ୍ୟ ବୟାନ କରୁଛିଯେ ଧୀରେ ଧୀରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିବାରେ ଲାଗିଛି । ମାତ୍ର ୪ରୁ ୫ ବର୍ଷ ଭିତରେ ୫୦ ପ୍ରତିଶତ କମିଗଲାଣି । ଏପଟେ କଟକର ଜୋବ୍ରା ବ୍ୟାରେଜରେ ମଧ୍ୟ ଜଳପ୍ରବେଶ ପରିମାଣ କମିବାରେ ଲାଗିଛି । ଯାହା ଓଡ଼ିଶାବାସୀଙ୍କ ଚିନ୍ତା ବଢାଇଦେଇଛି । ମହାନଦୀ ନେଇ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଅନେକ ଥର ଗୁହାରି କରିଛନ୍ତି କିନ୍ତୁ ସବୁପରେ ମଧ୍ୟ ଫଳ ଶୂନ । ଏହି ବିବାଦର ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ମଧ୍ୟ କରିଥିଲେ । କିନ୍ତ ସତ୍ୟପାଠ କରିବାର ଗୋଟିଏ ବର୍ଷ ପରେ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କରିଦେଇଥିଲେ କେନ୍ଦ୍ର ସରକାର । ଆଉ ଏହି ଏକବର୍ଷ ସମୟ ମଧ୍ୟରେ ପ୍ରାୟତଃ ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ବନ୍ଧର କାମ ଶେଷ ପଯ୍ୟାୟରେ ପହଞ୍ଚିଛି । ଯାହା ଓଡ଼ିଶା ପାଇଁ ବିପଦ ଡାକି ଆଣିଛି ।

ଗୋଟିଏ ପଟେ ରାଜନୀତି ଓ ଅନ୍ୟପଟେ ମହାନଦୀର ଭୟଙ୍କର ସତ୍ୟ । କିଏ ଜାଣେ କ’ଣ ହେବ । ଯଦି ଛତିଶଗଡ଼ର ସମସ୍ତ ବନ୍ଧ କାର୍ଯ୍ୟକ୍ଷମ ହୁଏ ତେବେ ମହାନଦୀ ଶୁଖିଯିବନି ତ ?