ମହାନଦୀ ଜଳ ବିବାଦ ନେଇ ୩ ଦଳ ମଧ୍ୟରେ ଟଣାଓଟରା । ପରସ୍ପରକୁ ଦୋଷ ଦେଲେ ରାଜ୍ୟର ୩ ପ୍ରମୁଖ ଦଳ

68

କନକ ବ୍ୟୁରୋ: ପୁଣି ଆରମ୍ଭ ହେଲା ମହାନଦୀ କଳି । ବିଜେଡିକୁ ନିଶାନା କରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମହାନଦୀ ପ୍ରସଙ୍ଗରେ କହିଛନ୍ତି ଯେ, ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ବିଜେଡି ଚିକ୍ରାର କରୁଥିଲା ।  ଏବେ କୁହନ୍ତୁ କେନ୍ଦ୍ର ଛତିଶଗଡକୁ ସହାୟତା ଦେଉଛି  । ଆରମ୍ଭରୁ ଆପୋଷ ବୁଝାମଣା କରିବା ବଦଳରେ ନବୀନ ବୟକଟ କରି ପଳାଇ ଆସିଛନ୍ତି । ଏବେ ବିଜେଡି କାହାକୁ ଦୋଷ ଦେବ । ମୋଦିଙ୍କୁ ନା ରମଣଙ୍କୁ ଦୋଷ ଦେବେ ବୋଲି କହିଛନ୍ତି ପ୍ରଦୀପ ।

ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡିଶାରେ ଯେଉଁ ସରକାର ଥାଉ ଆପୋଷ ସମାଧାନ ହେବା କଥା ।   ମହାନଦୀ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଯଦି ସମାଧାନ ନହେଲା ତାହେଲେ  ଟ୍ରିବ୍ୟୁନାଲ ଉପରେ ଛାଡିଦେବା କଥା । ଏବଂ ଯିଏ ଯେଉଁ ଦଳର ହେଉ ପଛେ ଓଡିଶାର ସ୍ୱାର୍ଥ ରକ୍ଷା କରିବା କଥା । ମହାନଦୀ ପ୍ରସଙ୍ଗରେ ସମସ୍ତ ଦଳ ନିଶ୍ଚିତ ଭାବରେ ଏକତ୍ରିତ ହେବେ ଏଥିରେ ସନ୍ଦେହ ନାହିଁ ।

ଛତିଶଗଡରେ କଂଗ୍ରେସ ସରକାର ଥିଲେ ମଧ୍ୟ ରାଜ୍ୟ କଂଗ୍ରେସ କେବେ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳୀ ଦେବ ନାହିଁ । ମହାନଦୀ ଜଳ ବିବାଦକୁ ନେଇ ଓଡିଶା କଂଗ୍ରେସର ଯାହା ଆଭିମୁଖ୍ୟ ଥିଲା ତାହା ହିଁ ରହିବ । ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ କହିବା ଅନୁଯାୟୀ, ମହାନଦୀ ସମସ୍ୟା  ଗୋଟିଏ ବଡ ସମସ୍ୟା ନୁହେଁ  ଏହାର ସମାଧାନ ହୋଇ ପାରିବ ।

ତେବେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗକୁ କାଉଣ୍ଟର କରି ବିଜେଡି କହିଛି, ଓଡିଶାର ଦାବିକୁ  ବିଜେପି ଓ କଂଗ୍ରେସ ବାରମ୍ବାର ଅଣଦେଖା କରୁଛନ୍ତି ଏବଂ ତାର ଏକ ନଗ୍ନ ଚିତ୍ର ମହାନଦୀ ବିବାଦ ଭାବେ ରାଜ୍ୟବାସୀ ଦେଖୁଛନ୍ତି । ।ଯେଉଁ ପରି ଭାବରେ ଭାରତୀୟ ଜନତା ପାର୍ଟି ଓଡିଶା ବିରୋଧୀ ମନୋଭାବ ରଖିଥିଲା ଏବଂ ଛତିଶଗଡକୁ ସମର୍ଥନ କରିବା ସହ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ଠିକ୍ ସେହି ଢଙ୍ଗରେ କଂଗ୍ରେସ ମଧ୍ୟ ଓଡିଶାକୁ ଅଣଦେଖା କରିଚାଲିଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସିବା ବେଳେ କହିଥିଲେ ମହାନଦୀ ବିବାଦର ସମାଧାନ ହୋଇଯିବ । କିନ୍ତୁ କୁଆଡେ ଗଲା ସମାଧାନ ଏହା ଉପରେ ଉତ୍ତର ରଖିବ କି କଂଗ୍ରେସ ବୋଲି ପ୍ରଶ୍ନ କରିଛି ବିଜେଡି ।  ଓଡିଶାର  ଉନ୍ନତି ପାଇଁ ବିଜେଡି ଲଗାତାର ଭାବେ ସଂଗ୍ରାମ କରିଆସୁଛି  । ତେଣୁ ବିଜେଡିକୁ ଗାଳି ଦେବା ବଦଳରେ ଉଭୟ ଦଳ ଆତ୍ମଚିନ୍ତନ କରିବା ଆବଶ୍ୟକ । ଯେ ବାସ୍ତବରେ ମହାନଦୀ ପାଇଁ କାହାର ଦରଦ କେତେ?