ମହାନଦୀ ଜଳବିବାଦ ମାମଲା ! ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି, ପକ୍ଷ ରଖିବେ ଓଡ଼ିଶା ସରକାର

38

କନକ ବ୍ୟରୋ: ମହାନଦୀ ଜଳବିବାଦକୁ ନେଇ ଓଡିଶା ଓ ଛତିଶଗଡ଼ ମୁହାଁମୁହିଁ ହୋଇଥିବା ବେଳେ ଆଜି ଅପରାହ୍ନରେ ସୁପ୍ରିମକୋର୍ଟ ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ । ପ୍ରଥମ ଥର ପାଇଁ ମାମଲାର ଶୁଣାଣି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜେଏସ୍ ଖେହରଙ୍କ ସମେତ ଏସଏ ବବଡେ ଓ ଡିଓ୍ଵାଇ ଚନ୍ଦ୍ରଚୂଡ଼ ତିନିଜଣିଆ ଖଣ୍ଡପୀଠ କରିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାନଦୀ ଜଳବିବାଦ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଓଡ଼ିଶା ଯେଉଁ ଦାବି କରିଥିଲା, ତାହାର ସବିଶେଷ ବିବରଣୀ କୋର୍ଟକୁ ଅବଗତ କରାଯିବାର ସମ୍ଭାବନା ରହିଛି । ଏତଦବ୍ୟତୀତ ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ଆଡହକ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଥିବା ପରାମର୍ଶ ସଂପର୍କରେ କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ ମଧ୍ୟ କରିପାରେ ।

ଅନ୍ୟପକ୍ଷରେ ଛତିଶଗଡ଼ ଦ୍ୱାରା କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ପରେ ଉପୁଜିଥିବା ସ୍ଥିତି ତଥା ଛତିଶଗଡ଼ ଦ୍ୱାରା ଏକତରଫା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣର ସବିଶେଷ ବିବରଣୀ ସଂପର୍କରେ ଓଡ଼ିଶା ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ ଓକିଲ ହରିଶ ସାଲଭେ ମହାନଦୀ ଜଳବିବାଦ ମାମଲାରେ ଆଦେଶ ଜାରି କରିବା ପାଇଁ ଦୃଢ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିବେ ବୋଲି ଆକଳନ କରାଯାଇଛି ।

ଆଜି ଅପରାହ୍ନ ୨ଟାରେ ମାମଲାର ଶୁଣାଣି କରିବାକୁ ଖଣ୍ଡପୀଠ ସମୟ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶାର ପିଟିସନ ଉପରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଚାରିଥର ଶୁଣାଣି ହୋଇସାରିଛି ।