ମହାନଦୀ ବଂଚାଅ ଅଭିଯାନର ସର୍ବ ଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେବ ଆନ୍ଦୋଳନ

31

କନକ ବ୍ୟୁରୋ :  ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବିରେ ଭୁବନେଶ୍ୱରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ବଂଚାଅ ଆନ୍ଦୋଳନ କମିଟି ତରଫରୁ ହୋଟେଲ କେଶରୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୧ଟି ଦଳର ନେତା ସାମିଲ ହୋଇଥିଲେ । ବିଜେଡି ପକ୍ଷରୁ ଦେବୀ ମିଶ୍ର ଓ ସାଂସଦ ପ୍ରତାପ ଦେବ ସାମିଲ ହୋଇଥିଲେ ।

ସେହିପରି କଂଗ୍ରେସରୁ ଗଣେଶ୍ୱର ବେହେରା, ନିରଞ୍ଜନ ପଟ୍ଟନାୟକ ଏହି ସର୍ବଦଳୀୟ ବୈଠକରେ ସାମିଲ ହୋଇଥିବା ବେଳେ ବିଜେପିର କୌଣସି ନେତା ଯୋଗ ଦେଇନଥିଲେ । ଯାହାକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ମହାନଦୀ ପ୍ରସଙ୍ଗରେ ବସିଥିବା ସର୍ବଦଳୀୟ ବୈଠକକୁ ବିଜେପି ବର୍ଜନ କରିବା ସାଂଘାତିକ କାର୍ଯ୍ୟ । ବିଜେପି ଛତିଶଗଡକୁ ସାହାଯ୍ୟ କରୁଛି ଓ ମହାନଦୀ ପ୍ରସଙ୍ଗକୁ ନେଇ ଘାଇରେ ପଡିଯାଇଛି।

ସେପଟେ ରାଜ୍ୟ ସରକାରଙ୍କୁ ନିଜ ପାପ ଧୋଇବାର ସମୟ ଆସିଛି ବୋଲି କହିଛନ୍ତି ନିରଂଜନ । ଏହି ସର୍ବଦଳୀୟ ବୈଠକ ବର୍ଜନ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ମହାନଦୀ ପ୍ରସଙ୍ଗରେ ୨୦୧୧ ମସିହାରେ ରାଜ୍ୟ ସରକାର ଭୁଲ ତଥ୍ୟ ଦେବା ସହ ମିଛ କହିଥିଲେ । ଏହାକୁ ସ୍ୱୀକାର କଲା ପରେ ହିଁ ବିଜେପି ଏହି ମିଟିଂରେ ସାମିଲ ହେବ ବୋଲି କହିଛି ବିଜେପି । ଏହି ବୈଠକରେ କେତେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବିରୋଧରେ ନିନ୍ଦା ପ୍ରସ୍ତାବ ଦିଆଯିବ । ନିର୍ଦ୍ଧାରିତ ସମୟରେ ଟ୍ରିବ୍ୟୁନାଲ ଗଠନ ଦାବି ହୋଇଛି । ବିଧାନସଭା ଓ ସାଂସଦରେ ନିନ୍ଦା ପ୍ରସ୍ତାବ ଆସିବା ସହ ଏହି ଆନ୍ଦୋଳନ ଭୁବନେଶ୍ୱର ଓ ନୂଆଦିଲ୍ଲୀରେ କରାଯିବା ପାଇଁ ନିଷ୍ପତି ହୋଇଛି । ନ୍ୟାୟିକ ସହ ଗଣତାନ୍ତ୍ରିକ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ହୋଇଛି । ୯ ତାରିଖ ପୂର୍ବରୁ କୋର କମିଟିର ବୈଠକ ହେବ ।