ସ୍ୱରର ଯାଦୁଗର ମହମ୍ମଦ ରଫିଙ୍କୁ ସମ୍ମାନ ଜଣାଇଲା ଗୁଗୁଲ । ଜନ୍ମଦିନରେ ଡୁଡଲ ମାଧ୍ୟମରେ ମନେପକାଇଲା ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ।

65

ସଙ୍ଗୀତ ଦୁନିଆର ବାଦଶାହା ମହମ୍ମଦ ରଫିଙ୍କର ଆଜି ୯୩ତମ ଜନ୍ମଦିନ । ଭାରତରେ ରଫି ସାହେବ ନାଁରେ ବେଶ ଜଣାଶୁଣା । ତାଙ୍କର ଜନ୍ମ ଦିନରେ ପୃଥିବୀର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ଗୁଗୁଲ ସମ୍ମାନ ଜଣାଇଛି । ଗୁଗୁଲ ଡୁଡୁଲ ମାଧ୍ୟମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛି । ମହମ୍ମଦ ରଫିଙ୍କ ଜନ୍ମ ୧୯୨୪ ମସିହାରେ ପଂଜାବର ଅମୃତସର ଜିଲ୍ଲାର କୋଟଲା ସୁଲତାନ ସିଂ ଗ୍ରାମରେ ହୋଇଥିଲା । ଆଜି ବି ନିଜ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ହୃଦୟରେ ରାଜ କରୁଥିବା ରଫି ସାହେବଙ୍କୁ ଗୀତ ଗାଇବାର ପ୍ରେରଣା ତାଙ୍କ ଘର ପାଖରେ ବୁଲୁଥିବା ଜଣେ ଭିକାରୀ ଠାରୁ ମିଳିଥିଲା । ରଫି ସାହେବଙ୍କ ବାପାଙ୍କର ଲାହୋରରେ ଗୋଟିଏ ସେଲୁନ ଥିଲା ଓ ରଫି ସାହାବଙ୍କର ଅଧିକାଂଶ ସମୟ ସେହି ଦୋକାନରେ କଟୁଥିଲା । ଯେଉଁଠି ସେ ଗୀତ ଗାଉଥିଲେ ଏବଂ ତାଙ୍କର ସଙ୍ଗୀତକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରୁଥିଲେ ।

ଲୋକଙ୍କୁ ତାଙ୍କ ସ୍ୱର ଖୁବ ପସନ୍ଦ ଆସୁଥିଲା ଏହାକୁ ଦେଖି ତାଙ୍କ ପିତା ରଫି ସାହେବଙ୍କୁ କ୍ଲାସିକାଲ ମ୍ୟୁଜିକ ଶିଖାଇଥିଲେ । ସେ ଉସ୍ତାଦ ଅବଦୁଲ ବାହିଦ ଖାନ, ପଣ୍ଡିତ ଜୀବନ ଲାଲ ମଟ୍ଟୋ ଓ ଫିରୋଜ ନିଜାମୀଙ୍କଠାରୁ କ୍ଲାସିକାଲ ମ୍ୟୁଜିକ ଶିଖିଥିଲେ । ମହମ୍ମଦ ରଫି ତାଙ୍କର ପ୍ରଥମ ପରଫମାନସ ୧୩ ବର୍ଷରେ ଦେଇଥିଲେ । ଏହା ପରେ ୧୯୪୧ ମସିହାରେ ସେ ‘ସୋନିୟେ ନି ହିରିୟେ ନି’ରୁ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ । ୧୯୪୫ ମସିହାରେ ହିନ୍ଦୀ ଫିଲ୍ମ ‘ଗାଓଁ କି ଗୋରୀ’ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

ଏହା ତାଙ୍କ ଜୀବନରେ ନାଟକିୟ ମୋଡ ଆଣିଥିଲା । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଏହାପରେ ସେ ସାତ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେ ଏକ ଭରସାଟାଇଲ ସିଙ୍ଗର ଭାବେ ଜଣାଶୁଣା । ସେ କ୍ଲାସିକାଲ, ଗଜଲ, ରୋମାଂଟିକ, ଭଜନ ପରି ସବୁ ପ୍ରକାର ଗୀତ ଗାଇଛନ୍ତି । କେବଳ ଏହା ନୁହେଁ ସେ ହିନ୍ଦୀ ବ୍ୟତୀତ କେଙ୍କଣୀ, ଭୋଜପୁରୀ, ବଙ୍ଗାଳୀ, ମରାଠୀ ପରି ଅନେକ ଭାଷାରେ ଗୀତ ଗାଇଛନ୍ତି । ଏହାସହ ତାଙ୍କୁ ଛଅ ଥର ଫିଲ୍ମ ଫେୟାର ଆୱାର୍ଡ ଓ ନ୍ୟାସନାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି । ୧୯୬୭ରେ ରଫି ସାହେବଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କିନ୍ତୁ ୩୧ ଜୁଲାଇ ୧୯୮୦ ମସିହାରେ ୫୫ ବର୍ଷ ବୟସରେ ହାର୍ଟ ଆର୍ଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।