ମୋଦିଙ୍କ ବିରୋଧରେ ମହାମେଳି ! ତୃତୀୟ ମେଂଟରେ ସାମିଲ ହେବେ କି ନବୀନ ?

41

କନକ ବ୍ୟୁରୋ: ବିଜେପିକୁ ରୋକିବା ପାଇଁ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ତ୍ରିପୁରାରେ ବିଜେପିର ବୃହତ ବିଜୟ ପରେ ମୋଦିଙ୍କୁ ଅଟକାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ତୃଣମୂଳ କଂଗ୍ରେସ । ତେବେ ବିଜେପିର ଉତ୍ତରପୂର୍ବ ଦଖଲ ପରେ ବିଜେପିକୁ ରୋକିବା ପାଇଁ ମହାମେଂଟ ନେଇ ଅଂଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତା କହିଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜିତିପାରିବନାହିଁ ବିଜେପି । ୨୦୧୯ରେ ଲାଲକିଲ୍ଲାରେ ମୋଦିଙ୍କୁ ତ୍ରିରଙ୍ଗା ଉଡାଇ ନଦେବା ପାଇଁ ମମତାଙ୍କ ଆହ୍ନାନ ପରେ ନବୀନଙ୍କ ଆଭିମୁଖ୍ୟ କଣ ହେବ ଏ ନେଇ ଚର୍ଚ୍ଚା ଜୋର ଧରିଛି ।

୨୦୧୯ରେ ମୋଦିଙ୍କ ଲହରିକୁ ରୋକିବା ପାଇଁ ଡିଏମକେ ନେତା ଷ୍ଟାଲିନଙ୍କ ସହ ମନ୍ତ୍ରଣା ଆରମ୍ଭ କରି ଦେଇଛନ୍ତି ମମତା । ବିଭିନ୍ନ ପ୍ରସଙ୍ଗରେ ସଂସଦ ବାହାରେ ଓ ଭିତରେ ଉଭୟ ଟିଏମସି ଓ ଡିମେକେ ମିଳିତ ଭାବେ କାର୍ଯ୍ୟ କରିବେ । ଏହା ପରେ ଏନଡିଏ ବିରୋଧରେ ତୃତୀୟ ମେଂଟ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଛି । ସେପଟେ ମମତା କହିଛନ୍ତି, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜିତି ପାରିବନାହିଁ ବିଜେପି । ତେବେ ମମତାଙ୍କ ମୋଦି ହଟାଓ ଡାକରାରେ ନବୀନ ସାମିଲ ହେବେ କି ନାହିଁ, ଏ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବରୁ ଏପରି ସମୀକରଣ ପାଇଁ ସମୟ ଆସିନାହିଁ ବୋଲି କହି ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବର୍ତମାନ ସ୍ଥିତିରେ କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତା ରକ୍ଷା କରିବ ବୋଲି ଦଳ ସ୍ପଷ୍ଟ କରିଛି ।

ଡିଏମକେ, ଟିଆରଏସ, ଶିବସେନା ନେତାଙ୍କ ସହ ମମତା ଆଲୋଚନା କରିଥିବା ବେଳେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଆରଜେଡି ଉପରେ ଆଖି ରଖିଛନ୍ତି ମମତା । ମୋଦି ବିରୋଧୀ ଶକ୍ତିକୁ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏବେ ପ୍ରଶ୍ନ, ୨୦୧୯ରେ ଲାଲକିଲ୍ଲାରେ ମୋଦିଙ୍କୁ ତ୍ରିରଙ୍ଗା ଉଡାଇ ନଦେବା ପାଇଁ ମମତାଙ୍କ ଆହ୍ନାନ ପରେ କ’ଣ ହେବ ନବୀନଙ୍କ ଆଭିମୁଖ୍ୟ? ରାଜ୍ୟରେ ଜୋରଦାର ଟକ୍କର ଦେଉଥିବା ବିଜେପିକୁ ରୋକିବାକୁ ନୂଆ ସମୀକରଣରେ ସାମିଲ ହେବେ କି ନବୀନ?