ଆସୁଛି ବର୍ଷା, ମୁକୁଳା ପଡିଛି ନଦୀବନ୍ଧ ! ଚିନ୍ତାରେ ମହାକାଳପଡା ବ୍ଲକ୍ ଗୋବରୀ ନଦୀକୂଳିଆ ଗ୍ରାମାବାସୀ

61

କନକ ବ୍ୟୁରୋ : ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜିଠାରୁ ଓଡିଶାରେ ହେବ ପ୍ରାକ୍ ମୌସୁମୀ ବର୍ଷା । ଜୁନ୍ ପ୍ରଥମ ସପ୍ତାହ ଭିତରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଏବେ ମୁକୁଳା ପଡିଛି । ଅସରାଏ ବର୍ଷା ହେଲେ ନଦୀ ପାଣି ବନ୍ଧ ଡେଇଁବ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ବିଜୟନଗର – ରଡିଆକୁ ସଂଯୋଗ କରୁଥିବା ଗୋବରୀ ନଦୀବନ୍ଧରେ ଏପରି ଅବସ୍ଥା ଦେଖିବା ପାଇଁ ମିଳିଛି । ଏମୁଣ୍ଡରୁ ସେମୁଣ୍ଡ ଯାଏ ଫାଟି ଆଁ କରିଛି ନଦୀବନ୍ଧ । ସେହିଭଳି ସ୍ଥାନେ ସ୍ଥାନେ ବନ୍ଧକୁ ସୁରକ୍ଷା ଦେଉଥିବା ପଥର ସ୍ତର ମଧ୍ୟ ଧସିଯାଇଛି । ଏପରିକି ରଡିଆ ଗ୍ରାମ ନିକଟରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ ।

mahakalpada

ବର୍ଷା ଆସିବା ସୂଚନା ପାଇବା ପରେ ଆଶଙ୍କାରେ ପଡିଛନ୍ତି ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀ । ଏହି ବନ୍ଧକୁ ରଡିଆ, କଂସାର, ବଗଗହଣ, ବଡଦାଣ୍ଡୁଆ, ପଙ୍କପାଳ ଏବଂ ଏକଲପୁର ଗ୍ରାମର ହଜାର ହଜାର ଲୋକ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଖାଲ ଖମାରେ ପରିପୂର୍ଣ୍ଣ ହୋଇଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ପ୍ରକାର ମରଣଜନ୍ତା ପାଲଟିଛି ।

ଅନ୍ୟପଟେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କ୍ୟାମେରା ସାମନାରେ କିଛି କହିବାକୁ ମନାକରି ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକାରୀ । ଅଫ୍ କ୍ୟାମେରାରେ କହିଛନ୍ତି ଏଷ୍ଟିମେଟ ପଠାଯାଇଛି ଆସିଲେ ମରାମତି ହେବ । ତେବେ ବର୍ଷା ପୂର୍ବରୁ ଏହି ବନ୍ଧର ମରାମତି ନହେଲେ ପାଶ୍ୱର୍ବର୍ତ୍ତୀ ଗାଁ ଗୁଡିକ ପ୍ରତି ବିପଦ ବଢ଼ିବାର ଆଶଙ୍କା ଦେଖା ଦେଇଛି ।