ହୁକିଟୋଲା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି । ୪୦ ଘଣ୍ଟାପରେ ନିଖୋଜ ୬ ବର୍ଷ ଶିଶୁର ମିଳିଲା ମୃତଦେହ

ହୁକିଟୋଲା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

186

କନକ ବ୍ୟୁରୋ : ହୁକିଟୋଲା ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ୪୦ ଘଣ୍ଟା ପରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳ ନିକଟସ୍ଥ ନିପାଣିଆରୁ ୬ ବର୍ଷ ଶିଶୁର ମୃତଦେହ ମିଳିଛି । ହୁକିଟୋଲା ଡଙ୍ଗାବୁଡିର ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ନିଖୋଜ ଥିଲା । ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ମୃତଦେହ ମିଳିଥିବା ସୂଚନା ମିଳିଛି । ତେବେ ବୁଧବାର ରାତିରେ ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଥିଲା ।

 

ତେବେ ସେହି ଦିନ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ଦୁର୍ଘଟଣା ହୋଇଥିଲା ।