ସାତିକୋଶିଆକୁ ଛଡାଗଲା ବାଘ ମହାବୀର : ଆଉ କିଛି ଦିନ ମଧ୍ୟରେ ବାଘୁଣୀ ସୁନ୍ଦରୀ ବି ଯିବ ସାତକୋଶିଆ, ନଜର ରଖିଛି ବନବିଭାଗ

59

କନକ ବ୍ୟୁରୋ : ସାତକୋଶିଆ ଜଙ୍ଗଲ ଭିତରେ ଏଣିକି ମୁକ୍ତ ଭାବେ ବୁଲିବ ମହାବଳ ବାଘ ମହାବୀର । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବୀର ବାଘକୁ ସ୍ୱତନ୍ତ୍ର ଏନକ୍ଲୋଜରରୁ ମୁକ୍ତ କରାଯାଇଛି । ଅନ୍ୟପଟେ ମହାବୀରର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ୨୪ ଘଂଟା ତାହାର ଗତିବିଧି ଉପରେ ନଜର ରଖାଯାଉଥିବା ସୂଚନା ଦେଇଛି ବନବିଭାଗ । ଗତ ୨୧ ତାରିଖ ଦିନ କାହ୍ନା ଅଭୟାରଣ୍ୟରୁ ଏହି ବାଘକୁ ସାତକୋଶିଆ ଜଙ୍ଗଲକୁ ଅଣାଯାଇଥିଲା । ଏଠାରେ ବାଘ ବଂଶ ବୃଦ୍ଧି ପାଇଁ ଏଭଳି ଏକ ନିଆରା ଉଦ୍ୟମ କରାଯାଇଛି । ଅନ୍ୟପଟେ ବାଘୁଣୀ ସୁନ୍ଦରୀକୁ ବି ମଧ୍ୟ ପ୍ରଦେଶରୁ ଅଣାଯାଇ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖି ଅନୁଧ୍ୟାନ କରାଯାଉଛି ।

Source:The Financial Express

ମହାବଳକୁ ଜଙ୍ଗଲରେ ଛାଡ଼ିବା ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଯେତିକି ଆନନ୍ଦିତ କରିଛି, ତା’ର ସୁରକ୍ଷାକୁ ନେଇ ବନ କର୍ମଚାରୀଙ୍କ ଚିନ୍ତା ବି ସେତିକି ବଢ଼ିଛି । ବେଶି ଚିନ୍ତିତ ହୋଇଛନ୍ତି ସ୍ଥାନୀୟ ଗ୍ରାମବାସୀ । ବିଶେଷ କରି ସାତକୋଶିଆ ସହ ସମ୍ପୃକ୍ତ ଲବଙ୍ଗୀ, ବଲଙ୍ଗ, ଯୋକୁବ, ଟୁଲ୍‌କା ଆଦି ଗାଁକୁ ମହାବଳ ଭୟ ଘାରିଛି । ମହାବଳ ଏନ୍‌କ୍ଲୋଜରରୁ ମୁକ୍ତ ହେବା ଖବର ବିଜୁଳି ବେଗରେ ଗାଁ ଗାଁରେ ପ୍ରଚାରିତ ହୋଇଛି । କାଳେ ଗାଁକୁ ମହାବଳ ମୁହାଁଇବ ସେନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି ।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ଗୌରବ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ମଧ୍ୟପ୍ରଦେଶରୁ ୬ଟି ମହାବଳ ଆଣି ସାତକୋଶିଆରେ ଛାଡ଼ିବା ପାଇଁ ଯୋଜନା କରିଛନ୍ତି । ପ୍ରାରମ୍ଭିକ ପର୍ୟ୍ୟାୟରେ ଜୁନ୍‌ ୨୧ତାରିଖରେ ଏହି ଯୁବ ମହାବଳକୁ ଆଣି ଏନ୍‌କ୍ଲୋଜରରେ ଛଡ଼ାଯାଇଥିଲା । ମହାବଳ ଶିକାର କରିବା ପାଇଁ ଏନ୍‌କ୍ଲୋଜର ଭିତରକୁ ଜଙ୍ଗଲୀ ବାର୍‌ହା ଓ ଅନ୍ୟାନ୍ୟ ଜନ୍ତୁ ପଠାଯାଉଥିଲା ବୋଲି ସାତକୋଶିଆ କର୍ତ୍ତୃପକ୍ଷ କହିଥିଲେ ।
ନୂଆ ଜଙ୍ଗଲ, ନୂଆ ପରିବେଶ ମଧ୍ୟରେ ଯୁବ ମହାବଳ କେମିତି ଖାପ ଖୁଆଉଛି ଏନ୍‌କ୍ଲୋଜର ମଧ୍ୟରେ ତାହାର ତନାଘନା ଚାଲିଥିଲା । ଏନେଇ ଚଳିତ ସପ୍ତାହରେ ଏନ୍‌ଟିସିଏର ମୁଖ୍ୟ ଅନୁପ ନାୟକ ମଧ୍ୟ ସାତକୋଶିଆ ଆସି ମହାବଳର ଗତିବିଧି ଅନୁଧ୍ୟାନ କରିଥିଲେ । ଓ୍ଵାଇଲ୍‌ଡ଼ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବିଶେଷଜ୍ଞମାନେ ମଧ୍ୟ ମହାବଳର ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ସମୀକ୍ଷା କରିଥିଲେ । ମୌସୁମୀ ବର୍ଷା ଯୋଗୁ ବାଘ ଛାଡ଼ିବାରେ କିଛିଟା ବିଳମ୍ବ ହୋଇଥିଲା । କିନ୍ତୁ ଆଜି ପାଗ ଶୁଖିଲା ଥିବାରୁ ମହାବଳକୁ ଏନ୍‌କ୍ଲୋଜରରୁ ମୁକ୍ତ କରାଯାଇଛି ।