ସାତକୋଶିଆରେ ମହାବଳର ମୃତ୍ୟୁକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା : ଶିକାରୀ ଫାଶରେ ପଡିବା ପରେ ବେକରେ ସୃଷ୍ଟି ହୋଇଥିଲା କ୍ଷତ 

87

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ବାଘ ମହାବୀରର ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । କେଉଁ ପରିସ୍ଥିତିରେ ମହାବୀରର ମୃତ୍ୟୁ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନି । ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ସାମନାକୁ ଆସୁଛି । ବାରାହା କିମ୍ବା ହରିଣ ପାଇଁ ଲଗାଯାଇଥିବା ଫାଶରେ ମହାବୀର ପଡିଯାଇଥିଲା ବୋଲି କୁହାଯାଉଛି । ତେବେ କୌଣସି ଉପାୟରେ ମହାବୀର ଫାଶରୁ ଖସି ଯାଇଥିଲା କିନ୍ତୁ ତାର ବେକରେ ରହିଯାଇଥିବା କ୍ଷତ ଶେଷରେ ତାର ଜୀବନ ନେଇଗଲା ବୋଲି ଶୁଣିବାକୁ ମିଳୁଛି । ତେବେ ଏନେଇ ବନବିଭାଗ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଆଜି ମହାବୀରର ଶବବ୍ୟବଛେଦ କରାଯିବ । ପୋଷ୍ଟମର୍ଟମ ସମୟରେ ବାହାର ରାଜ୍ୟର ବିଶେଷଜ୍ଞମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହାବଳ ମହାବୀରକୁ ଗୁଳି ମଧ୍ୟ ମରାଯାଇଥାଇପାରେ ।

କିନ୍ତୁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସାତକୋଶିଆର ରାଇଗୁଡା ରେଞ୍ଜର କୋର ଏରିଆରେ ମହାବୀର ଚଳପ୍ରଚଳ କରୁଥିଲା । ବାଘୁଣୀ ସୁନ୍ଦରୀ ପରି ମହାବୀର କିନ୍ତୁ ଗାଁ ପାଖକୁ ଆସି କେବେ ଆତଙ୍କ ସୃଷ୍ଟି କରିନଥିଲା । ମହାବୀର କୋର ଏରିଆରେ ହିଁ ରହୁଥିଲା । କିନ୍ତୁ ହଠାତ୍ ମହାବୀରର ବେକରେ ଲଗାଯାଇଥିବା ରେଡିଓ କଲାର ସ୍ଥିର ହୋଇଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ମହାବୀର ଚଳପ୍ରଚଳ କରୁନାହିଁ । ଏହାର ପ୍ରାୟ ୨୪ ଘଂଟା ପରେ ବାଘର ହାର୍ଟବିଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ମହାବୀରର ମୃତ୍ୟୁ ହେବା ନେଇ ସବୁକିଛି ସ୍ପଷ୍ଟ ହେଲା । ଗତ ଜୁନ୍ ୨୧ ତାରିଖରେ  କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବୀରକୁ ସାତକୋଶିଆ ଅଣାଯାଇଥିଲା । ଏବଂ ଏହି ଘଟଣା ପରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନାରେ ଏକ ଧକ୍କା ଲାଗିଥିବା କୁହାଯାଉଛି ।