ମାଟି ତଳୁ ମହାଦେବ । ଆଳୁ ଖୋଳୁଖୋଳୁ ପଥରରେ ବାଜିଥିଲା ଶାବଳ, ବୋହିଥିଲା ଧାରଧାର ରକ୍ତ । ମାଟି ଖୋଳିଲା ପରେ ପାତାଳରୁ ବାହାରିଥିଲା କଳା ମଚମଚ ଶିବଲିଙ୍ଗ । ପଢନ୍ତୁ ଆନନ୍ଦପୁରରେ ଆବିର୍ଭୂତ ପ୍ରଭୁ ଉତ୍ତରେଶ୍ୱରଙ୍କ ଅଲୌକିକ କାହାଣୀ…

1,254

କନକ ବ୍ୟୁରୋ: ସେ ଦୁଃଖ ହରଣ କରନ୍ତି, ଭକ୍ତର କଷ୍ଟକୁ ହଳାହଳ ପରି ପିଇ ଯାଆନ୍ତି ତେଣୁ ତ ତାଙ୍କୁ ହର ହର ମହାଦେବ ବୋଲି ସମସ୍ତେ ଡାକନ୍ତି । ସବୁ ସମସ୍ୟାର ସମାଧାନ ପାଇଁ, ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମହାମାନସିକ କରେ ଭକ୍ତ । ଶ୍ରାବଣ ମାସରେ ମହାଦେବଙ୍କ ମଥାରେ ଭକ୍ତ ପାଣି ଢାଳେ ଆଉ ଜାଗରରେ ରାତି ଉଜାଗର ହୋଇ ଭୋଳାବାବାଙ୍କ ଆଗରେ ଦୀପ ଜାଳେ । ମହାଦେବଙ୍କୁ ଆରାଧନା କରି ବରପ୍ରାପ୍ତ ହେବାକୁ ଦେବାଦେବୀଠାରୁ ଆରମ୍ଭ କରି ଅସୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶିବଲିଙ୍ଗ ତିଆରି କରି ପୂଜାର୍ଚ୍ଚନା କରିଥିଲେ ଯାହା ପରବର୍ତ୍ତୀ ସମୟରେ ଐତିହାସିକ ଶୈବପୀଠର ମାନ୍ୟତା ପାଇଛି ।

ତେବେ ସମସ୍ତ ମହାଦେବ ମନ୍ଦିର ପଛରେ କାହାଣୀ କିମ୍ବଦନ୍ତୀ ଲୁଚିରହିଥାଏ । ଆଉ ଓଡିଶାରେ ବି ଅନେକ ଶିବ ମନ୍ଦିର ଅଛି ଯାହାର ଅତୀତ ଆଉ ଅଲୌକିକତା ଶୁଣିରେ ଆଶ୍ଚର୍ଯ୍ୟ ଲାଗେ । ତେବେ କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ପ୍ରଭୁ ଉତ୍ତରେଶ୍ୱରଙ୍କ ମନ୍ଦିର ରହିଛି ଯାହା ପଛରେ ବି ଏକ ସୁନ୍ଦର କାହାଣୀ ରହିଛି ।

ପ୍ରଭୁ ଉତ୍ତରେଶ୍ୱରଙ୍କ କାହାଣୀ…

ଗୋନାସିକା ଠାରୁ ବାହାଥିବା ବୈତରଣୀ ନଦୀ ତଟରେ ୧୦୮ ମହାଦେବ ମନ୍ଦିର ରହିଛି । ସେଥିମଧ୍ୟରୁ ଆନନ୍ଦପୁର ପୌରାଞ୍ଚଳର ୭ ନଂ ୱାର୍ଡରେ ରହିଛି ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବଙ୍କ ମନ୍ଦିର । କିମ୍ବଦନ୍ତୀ କହେ ଏକଦା ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଜଣେ ଲୋକ ଏହି ଜଙ୍ଗଲରେ ଟୁଙ୍ଗା ଆଳୁ ଖୋଳୁ ଖୋଳୁ ତାଙ୍କ ଶାବଳ ମୁନ ଏକ ପଥର ଦେହରେ ବାଜିଲା । ଆଉ ହଠାତ ସେହି ପଥରରରୁ ଝରଝର ହୋଇ ରକ୍ତ ବାହାରିଲା । ଆକସ୍ମିକ ଘଟଣା ଦେଖି ବ୍ୟକ୍ତି ଜଣଙ୍କ ଡରି ଯାଇଥିଲେ ଆଉ ଗାଁକୁ ଦୌଡି ଯାଇ ଲୋକଙ୍କୁ ଜଣାଇଥିଲେ । ତେବେ ଗାଁ ଲୋକେ ଉକ୍ତ ସ୍ଥାନରେ ଖୋଳାଖୋଳି ଆରମ୍ଭ କରିବା ପରେ ମାଟି ଭିତରୁ ମହାଦେବ ବାହାରିଥିଲେ । ପରେ କେନ୍ଦୁଝର ରାଜା ଖବର ପାଇ ଏଠାରେ ମନ୍ଦିର ନିର୍ମାଣ କରିଥିଲେ ।

ମହାଦେବ ଉତ୍ତର ଦିଗରୁ ବାହାରିଥିବାରୁ ସେହି ଅନୁସାରେ ସେବେଠାରୁ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବ ନାଁରେ ପୂଜା ପାଇ ଆସୁଛନ୍ତି । ପ୍ରାତଋ ସକାଳରୁ ମହାଦେବଙ୍କ ରୀତିନୀତି ଆରମ୍ଭ ହେଉଥିବା ବେଳେ କେବଳ ଜାଗରକୁ ଛାଡିଦେଲେ ଆଉ ସବୁଦିନ ଗୋଟିଏ ବେଳା ପୂଜା ପାଆନ୍ତି ମହାଦେବ । ପ୍ରତିବର୍ଷ ଶିବରାତ୍ରୀରେ ଏଠାରେ ୨୫ରୁ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ତେବେ ମନ୍ଦିର ପାଶ୍ୱର୍ରେ ଦେବୀ ପାର୍ବତୀ, ଗଣେଶଙ୍କ ସମେତ ମାଆ ଭୈରବ ବି ପୂଜା ପାଆନ୍ତି । ଭକ୍ତ ମାନସିକ ପୂରା ପାଇଁ ଦୂରଦୂରାନ୍ତରୁ ଆସିଥାଆନ୍ତି । ଏଠାରେ ବର୍ଷକୁ ୫୦୦ରୁ ଅଧିକ ବାହାଘର ମଧ୍ୟ ହୋଇଥାଏ । ତେବେ ଉତ୍ତରେଶ୍ୱର ମହାଦେବ ପ୍ରସିଦ୍ଧ ଶୈବପୀଠ ହୋଇଥିଲେ ବି ସେଠାକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଯିବା ଆସିବାରେ ଅନେକ ଅସୁବିଧା ହେଉଥିବା ଭକ୍ତମାନେ କହିଛନ୍ତି ।