ମହାନଦୀ ଜଳବିବାଦ ମାମଲାରେ ଆଜି ଶୁଣାଣି । ଟ୍ରିବୁନାଲରେ ପକ୍ଷ ରଖିବେ ଉଭୟ ଓଡିଶା ଓ ଛତିଶଗଡ

ସରିଛି ପରଷ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ, ଟ୍ରିବୁନାଲକୁ ଦେବେ ରିପୋର୍ଟ

98

କନକ ବ୍ୟୁରୋ: ମହାନଦୀ ଜଳ ବିବାଦ ମାମଲାରେ ଆଜି ହେବ ଟ୍ରିବ୍ୟୁନାଲଙ୍କ ଶୁଣାଣି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିବେ । ବିଶେଷ କରି ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରିଛନ୍ତି । ଏବଂ ଏ ସଂପର୍କିତ ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରିବେ । ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡରେ ଯାଇ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ ।

ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ ମଧ୍ୟ ଓଡିଶାରେ ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ ବୁଲିଦେଖିଛନ୍ତି । ଏ ସଂକ୍ରାନ୍ତରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବା ସହ ଆଗକୁ ଆଉ ପ୍ରକଳ୍ପର ଅନୁଧ୍ୟାନ ଆବଶ୍ୟକ କି ନାହିଁ, ସେ ନଇ ଟ୍ରିବ୍ୟୁନାଲଙ୍କ ମତ ନିଆଯିବ । ଉଭୟ ରାଜ୍ୟକୁ କ୍ଷେତ୍ର ପରିଦର୍ଶନ ପରେ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦେବାପାଇଁ ପୂର୍ବରୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଥିଲା । ହେଲେ ପରେ ଏହାକୁ ବଢାଇ ଡିସେମ୍ବର ୧୪ ଧାର୍ଯ୍ୟ କରାଯାଇଥିଲା ।