ପବିତ୍ର ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

220

କନକ ବ୍ୟୁରୋ : ଆଜି ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ବେଳେ ମାଘ ମେଳା ପାଇଁ ଶହ ଶହ ସାଧୁ ସନ୍ଥ ବି ଆସିଛନ୍ତି । ଆଜି ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ଆସିବା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ୪ ଜଣ ଆଡିସନାଲ ଏସପି, ୧୪ ଜଣ ଡିଏସପି, ୨୯ ଜଣ ଇନ୍ସପେକ୍ଟର, ୧୨୧ ଜଣ ସବ୍ ଇନ୍ସପେକ୍ଟର ଏବଂ ୮୧ ସେସନ୍ ଫୋର୍ସ ଓ ୩୦ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁ ରାତି ତମାମ ମାଘମେଳାରେ ଭାଗ ନେବା ସହ ଭୋରରେ ବୁଡ ପକାଇଛନ୍ତି ।

ଚନ୍ଦ୍ରଭାଗା ପୁଷ୍କରଣୀରେ ସ୍ନାନ କରିବା ପରେ ଚନ୍ଦ୍ରଭାଗା ସମୁଦ୍ର ତଟରେ ସୂର୍ଯ୍ୟଦର୍ଶନ କରିବା ସହ କୋଣାର୍କ ମନ୍ଦିରରେ ନବଗ୍ରହ ପୂଜାର୍ଚ୍ଚନା କରିଛନ୍ତି । ଏହି ଦିନ ସୂର୍ଯ୍ୟଦେବଙ୍କ ଜନ୍ମଦିନ ବୋଲି ବିଶ୍ୱାସ ଥିବାରୁ ଏହି ଦିନ ସୂର୍ଯ୍ୟପୂଜା କରି ପୂଣ୍ୟ ଅର୍ଜନ କରିବାର ପରମ୍ପରା ରହିଛି । ସେହିପରି କୃଷ୍ଣ ପୁତ୍ର ଶାମ୍ବ ଏହି ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ରୋଗମୁକ୍ତ ହୋଇଥିବାର କିମ୍ବଦନ୍ତୀ ରହିଛି । ଏହି ଦୃଷ୍ଟିରୁ ମାଘ ସପ୍ତମୀ ବୁଡର ବିଶେଷ ମହତ୍ୱ ରହିଥିବାର ବିଶ୍ୱାସ ଅଛି । ସେପଟେ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।