ଖୋଳା ହେଉଛି ପାହାଡ, ବୁହା ହେଉଛି ମୋରମ୍ : ଗଞ୍ଜାମ କୁକୁଡାଖଣ୍ଡିରେ ଜାତୀୟ ରାଜପଥ କାମ ପାଇଁ ପାହାଡ ଖୋଳି ପକାଉଛି ଠିକା ସଂସ୍ଥା, ସବୁ ଜାଣି କେବଳ ଜୋରିମାନା କରି ଚୁପ୍ ବସି ପ୍ରଶାସନ

297

କନକ ବ୍ୟୁରୋ : ପାହାଡ ଖୋଳି ମୋରମ ଚୋରି କରୁଛନ୍ତି ମାଫିଆ । ଜାତୀୟ ରାଜପଥ କାମ କରୁଥିବା ଠିକା ସଂସ୍ଥା ପାହାଡ ଖୋଳି ମୋରମ ଚୋରୀ କରୁଥିବା ବେଳେ କେବଳ ଜରିମାନା କରି ଚୁପ୍ ବସିଛି ପ୍ରଶାସନ । ସେପଟେ ପୁଣି ଖୁଲମଖୁଲା ମୋରମ୍ ଚୋରୀ କରୁଛି ସଂପୃକ୍ତ ଠିକା ସଂସ୍ଥା । ସବୁ ଦେଖି ଚୁପ୍ ବସିଥିବା ପ୍ରଶାସନ ଗଣମାଧ୍ୟମରୁ ଖବର ଜାଣିବା ପରେ ଚିହିଁକି ଉଠିଛି ।

ଖୋଳା ହେଉଛି ପାହାଡ, ବୁହା ହେଉଛି ମୋରମ୍ । ତା ପୁଣି ଦିନ ଦ୍ୱିପହରରେ ଖୁଲମଖୁଲା ବେଆଇନ୍ ଭାବେ । ପାହାଡ ଖୋଳି ଟ୍ରକ ଟ୍ରକ ମୋରମ୍ ଲୋଡ କରୁଛି ଜେସିବି ।  ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବାଘଲଟି ଅଂଚଳର ପାହଡ଼କୁ ଖୋଳି ଟ୍ରକରେ ମୋରମ୍ ଲୋଡ କରାଯାଉଛି । ଆପଣ ଭାବୁଥିବେ ଏଥିପାଇଁ ପାହାଡକୁ ସରକାରଙ୍କ ପକ୍ଷରୁ  ଲିଜରେ ଦିଆଯାଇଥିବ । ହେଲେ ସେମିତି କିଛି ହୋଇନାହିଁ । ପ୍ରଶାସନର ବିନା ଅନୁମତିରେ ମାସେ ହେବ ଏଠାରୁ ପ୍ରତିଦିନ ୨୦୦ରୁ ଅଧିକ ଟ୍ରକ ମାଧ୍ୟମରେ ଜାତୀୟ ରାଜପଥ କାମ ପାଇଁ ମୋରମ୍ ନିଆଯାଉଛି । ଆଉ ମରୋମ ଚୋରା ଚାଲଣ ହେବାରୁ ରାଜ୍ୟର ବହୁ ରାଜସ୍ୱ କ୍ଷତି ହେଉଛି ।

ଜାତୀୟ ରାଜପଥର କାମ ଏକ ଠିକା ସଂସ୍ଥା ନେଇଥିବା ବେଳେ ଖଣିଜ ପଦାର୍ଥ ନେବା ପାଇଁ ଅନୁମତି ନେଇନାହିଁ । ହେଲେ ରାସ୍ତା କାମ ପାଇଁ ମୋରମ ଚୋରା ଚାଲଣ ହେଉଥିବା ବେଳେ ବ୍ରହ୍ମପୁର ଉପ-ଜିଲ୍ଲାପଳ ଅଗଷ୍ଟ ୨୪ ତାରିଖରେ ବାଘଲଟି ଅଂଚଳରେ ଚଢାଉ କରିଥିଲେ । ୧୦ ହଜାର ଟଙ୍କାର  ଜରିମାନା ବି କରିଛନ୍ତି । ତଥାପି ସୁଧୁରି ନାହିଁ ସଂପୃକ୍ତ ଠିକା ସଂସ୍ଥା । ଏବେ ବି ମୋରମ ଖୋଳା ହେଉଥିବା ଖବର ପୁଣି ସାମ୍ନାକୁ ଆସିବା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ । ଗଂଜାମ ଜିଲ୍ଲାରେ ଖଣିଜ ପଦାର୍ଥ ଚୋରା ଚାଲଣ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ ରହିଛି । ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।