ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା ! ଡ୍ୟୁଟି କରୁ କରୁ ଖରାରେ ବେହୋସ ହୋଇଗଲେ ଆଗଧାଡ଼ିର ଯୋଦ୍ଧା । ନିକଟସ୍ଥ ଡାକ୍ତରଖାନାରେ ମିଳିଲାନି ଚିକିତ୍ସା, ଅଧଘଣ୍ଟା ଧରି ରାସ୍ତାରେ ପଡ଼ି ରହିଲେ ସ୍ୱାସ୍ଥ୍ୟକର୍ମୀ

1,133

କନକ ବ୍ୟୁରୋ: କରୋନା ଭଳି ମହାମାରୀ ସମୟରେ ସଂକ୍ରମଣକୁ ହ୍ରାସ କରିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ନିଜ ଜୀବନର ବାଜି ଲଗାଇ କରୋନା ସହ ଲଢେଇ କରିବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ତେବେ ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଦେଶର କିଛି ସ୍ଥାନରେ ସେମାନଙ୍କୁ ସେତିକି ସମ୍ମାନ ମିଳୁ ନଥିବା ଦେଖିବାକୁ ମିଳୁଛି । ପୂର୍ବରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରାଯାଉଥିବା ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।

ଗରମ ସହି ନପାରି ଜଣେ ସ୍ୱାସ୍ଥ୍ୟକର୍ମୀ ଅଚେତ ହୋଇପଡିବା ପରେ ତାଙ୍କୁ କେହି ସାହାଯ୍ୟରେ ହାତ ବଢ଼ାଇ ନଥିବା ଭଳି ଅମାନବୀୟ କାର୍ଯ୍ୟଧାରା ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଏକ ବଡ ଡାକ୍ତରଖାନା ଆଗରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ । ତାଙ୍କ ଅବସ୍ଥା ଦେଖି ମଧ୍ୟ ଡାକ୍ତରଖାନାର ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ । ପ୍ରାୟ ଅଧା ଘଣ୍ଟା ପରେ ଅନ୍ୟ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ୧୦୮ଆମ୍ବୁଲାନ୍ସର ଚାଳକ ହୀରାଲାଲ ପ୍ରଜାପତି ବୁଧବାର ଟିବି ଡାକ୍ତରଖାନାରୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ଜଣେ କରୋନା ରୋଗୀଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ଏହି ସମୟରେ ସେ ପିପିଇ କିଟ ପିନ୍ଧି ଥିବାରୁ ଖରା ତାପ ସହି ନପାରି ଅଚେତ ହୋଇଯାଇଥିଲେ । ତାଙ୍କ ସହ ଥିବା ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ହୀରାଲାଲଙ୍କୁ ଭର୍ତ୍ତି କରିବା ପାଇଁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ନିବେଦନ କରିଥିଲେ ମଧ୍ୟ ଡାକ୍ତର ଭର୍ତ୍ତି କରାଇବା ପାଇଁ ମନା କରି ଦେଇଥିଲେ । ଦୀର୍ଘ ୨୫ମିନିଟ ପର୍ଯ୍ୟନ୍ତ ୪୪ଡିଗ୍ରି ଖରାରେ ବାହାରେ ପଡି ରହିବା ପରେ ପାରାମେଡିକାଲ୍ କର୍ମଚାରୀ ତାଙ୍କୁ ତାଙ୍କ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ | ସେଠାରେ ତାଙ୍କର ଚିକିତ୍ସା ହେବା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡିଛି ।