ପେଟ୍ରୋଲ ଉପରେ ଭାଟ୍ କମାଇଲା ଆଉ ଏକ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ : ଓଡିଶା ସରକାର ଉପରେ ବଢିଲା ଚାପ

40

କନକ ବ୍ୟୁରୋ : ଗୁଜୁରାଟ, ମହାରାଷ୍ଟ୍ର ପରେ ପୁଣି ଏକ ବିଜେପି ଶାସିତ ରାଜ୍ୟରେ କମିଲା ପେଟ୍ରୋଲ ଉପରୁ ଭାଟ୍ । ଚତୁର୍ଥ ରାଜ୍ୟ ଭାବେ ମଧ୍ୟପ୍ରଦେଶ ସରକାର ପେଟ୍ରୋଲ ଉପରେ ୩ପ୍ରତିଶତ ଓ ଡିଜେଲ ଉପରୁ ୫ ପ୍ରତିଶତ ଭାଟ ହ୍ରାସ କରିଛନ୍ତି । ମଧ୍ୟପ୍ରଦେଶରେ ପେଟ୍ରୋଲ ଉପରେ ଆଦାୟ ହେଉଥିବା ୩୧ ପ୍ରତିଶତ ଭାଟକୁ ହ୍ରାସ କରି ୨୮ ପ୍ରତିଶତ କରାଯାଇଛି ଏବଂ ଡିଜେଲ ଉପରେ ୨୭ ପ୍ରତିଶତ ଭାଟ ହ୍ରାସ କରି ୨୨ ପ୍ରତିଶତ ରଖାଯାଇଛି । ଏହା ସହ ପେଟ୍ରୋଲ ଲିଟର ପିଛା ଦେଢ ଟଙ୍କାର ଅତିରିକ୍ତ ସେସ୍ ହ୍ରାସ କରାଯାଇଛି । ନୂଆ ଦର ଶୁକ୍ରବାର ମଧ୍ୟ ରାତିରୁ ଲାଗୁ ହେବ ।

ଅକ୍ଟେବାର ୪ରେ କେନ୍ଦ୍ର ସରକାର ଲିଟର ପିଛା ୨ଟଙ୍କା ଉତ୍ପାଦ ଶୁଳ୍କ କମାଇବା ପରେ ପେଟ୍ରୋଲ ଦର ହ୍ରାସ ପାଇଥିଲା । ଏହାପରେ ସବୁ ରାଜ୍ୟମାନଙ୍କୁ ପେଟ୍ରୋଲ ଡିଜେଲ ଉପରୁ ଭାଟ୍ କମାଇବାକୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ । ବିଜେପି ଶାସିତ ରାଜ୍ୟରେ ଭାଟ ହ୍ରାସ ପାଇବା ପରେ ଏବେ ଓଡିଶା ସରକାରଙ୍କ ଉପରେ ପେଟ୍ରୋଲ ଉପରୁ ଭାଟ କମାଇବା ଲାଗି ଚାପ ସୃଷ୍ଟି ହୋଇଛି ।

ସେପଟେ ଉତ୍ପାଦନ ଶୁଳ୍କ ହ୍ରାସ ପରେ ଓଡ଼ିଶା ଅଧିକ କ୍ଷତି ସହିଥିବା ଯୁକ୍ତି ବାଢିଛନ୍ତି ଅର୍ଥମନ୍ତ୍ରୀ ଶଶୀ ବେହେରା । ପୁଣି ଥରେ ସେ ଦୋହରାଇଛନ୍ତି ଯେ ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ଭାଟ କମ ଥିବାରୁ ଆହୁରି ହ୍ରାସ କରିବା ସମ୍ଭବ ନୁହେଁ ।କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ କମାଇ ୨୬ ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ସେପଟେ କେନ୍ଦ୍ରର ଆହ୍ୱାନ କ୍ରମେ ଗୁଜରାଟ ସରକାର ପ୍ରଥମେ ଆଗେଇ ଆସି ଭାଟ ହ୍ରାସ କରିବା ପରେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୯୩ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୭୨ ପଇସା ହ୍ରାସ ଘଟିଛି । ସେହିପରି ଭାଟ ହ୍ରାସ କରିବା ପରେ ମହାରାଷ୍ଟ୍ରରେ ପେଟ୍ରୋଲ ୨ ଟଙ୍କା ଓ ଡିଜେଲ ୧ ଟଙ୍କା କମିଯାଇଛି । ସେପଟେ ଉଭୟ ପେଟ୍ରୋଲ ଓ ଡିଜେଲରେ ୧ ପ୍ରତିଶତ ଭାଟ ହ୍ରାସ କରିଛନ୍ତି ହିମାଚଳ ପ୍ରଦେଶ ସରକାର ।