ସହିଦ ପୋଲିସ ଅଫିସରଙ୍କ କୋକେଇକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ, ଅନ୍ୟ ରାଜନେତାଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

27

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ପୁଣି ଚର୍ଚ୍ଚା । ଶୁକ୍ରବାର ପୋଲିସ ଅଫିସର ଅମୃତ ଲାଲ ଭିଲାଲଙ୍କୁ ସମ୍ମାନ ଦେବାକୁ ଯାଇ ଶେଷରେ ତାଙ୍କ କୋକେଇରେ କାନ୍ଧ ଦେଇଛନ୍ତି ଶିବରାଜ । ଏପରିକି ଡ଼୍ୟୁଟି ସମୟରେ ଗମ୍ଭୀର ରୂପେ ଆହତ ହୋଇ ଶେଷରେ ପ୍ରାଣ ହରାଇଥିବା ଅମୃତ ଲାଲଙ୍କୁ ସହିଦଙ୍କ ମାନ୍ୟତା ଦେବାକୁ ମଧ୍ୟ କହିଛନ୍ତି । ସାଧାରଣତଃ ସହିଦଙ୍କୁ ସମ୍ମାନ ଦେବା କଥା ସମସ୍ତେ କହିଥାନ୍ତି । କିନ୍ତୁ ଅନ୍ତିମ ସଂସ୍କାର ପରେ ସତେ ଯେମିତି ସହିଦଙ୍କ କଥା ମନରୁ ପାଶୋରି ଦେଇଥାନ୍ତି ରାଜନେତା । କିନ୍ତୁ ଶିବରାଜ ଅମୃତ ଲାଲଙ୍କ କୋକଇରେ କାନ୍ଧ ଦେଇ ଯେଉଁ ସମ୍ମାନ ଦେଇଛନ୍ତି ତାହାକୁ ନେଇ ଏବେ ପୂରା ମଧ୍ୟପ୍ରଦେଶରେ ଚର୍ଚ୍ଚା ।

ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବେ ଗାଡ଼ି ଚେକିଂ ସମୟରେ ଏଏସଆଇ ଅମୃତ ଲାଲ ଭିଲାଲଙ୍କୁ ଧକ୍କା ମାରିଥିଲା ଏକ କାରଟି । ଏପରିକି ଦ୍ରୁତ ଗତିରେ ଆସୁଥିବା କାରଟି ଏଏସଆଇଙ୍କୁ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଦୀର୍ଘ ୧୦ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ପ୍ରାଣ ହରାଇଥିଲେ ଅମୃତ ଲାଲ । ତେବେ ଡ଼୍ୟୁଟି କରୁଥିବା ସମୟରେ ଅମୃତ ଲାଲ ପ୍ରାଣ ହରାଇଥିବାରୁ ତାଙ୍କୁ ସହିଦର ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଶୁକ୍ରବାର ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅମୃତ ଲାଲଙ୍କ କୋକେଇରେ କାନ୍ଧ ଦେବା ସହ ତାଙ୍କ ପରିବାର ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ । ଶିବରାଜଙ୍କ କହିବା ଅନୁଯାୟୀ, ଡ଼୍ୟୁଟି ସମୟରେ ଅମୃତ ଲାଲ ବୀରଗତି ପ୍ରାପ୍ତ କରିଥିଲେ । ତେଣୁ ତାଙ୍କ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ଚାକିରି ଦେବାକୁ ବିଚାର କରାଯାଉଥିବା କହିଛନ୍ତି ଶିବରାଜ । ଏପରିକି ଏହି ଘଟଣାରେ ଯେଉଁ ବ୍ୟକ୍ତି ସାମିଲ ଅଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।