ମଧ୍ୟପ୍ରଦେଶରେ ଜୋର ଧରୁଛି ନିର୍ବାଚନୀ ମାହୋଲ ! ଶିବରାଜ ସରକାରଙ୍କୁ ନେଇ ଅସନ୍ତୋଷ ବଢୁଥିବା ଚର୍ଚ୍ଚା, ବାଜି ମାରିପାରେ କଂଗ୍ରେସ ।

181

ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ପାଇଁ ଆସନ୍ତା ନଭେମ୍ବର ୨୮ ତାରିଖରେ ଭୋଟ ଗ୍ରହଣ ହେବ । ଏବଂ ନିର୍ବାଚନର ଫଳାଫଳ ଡିସେମ୍ବର ୧୧ ତାରିଖରେ ସାମ୍ନାକୁ ଆସିବ । ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ଧରି ବିଜେପି ଶାସନଗାଦିରେ ରହିଛି । କିନ୍ତୁ ଏଥର କଂଗ୍ରେସ ମଧ୍ୟ ଫୁଲ୍ ଦମରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଏଠାରେ ଶିବରାଜ ସରକାରଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି । ଯାହାଦ୍ୱାରା କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ନେଇ ଜୋରଦାର ପ୍ରୟାସ ଚଲାଇଛି । ଆଉ ଏହାରି ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି କଂଗ୍ରେସ ସହ ଗଠବନ୍ଧନ ନକରିବା, ବିଜେପିକୁ ଟିକିଏ ଆଶ୍ୱସ୍ତି ଦେଇଛି ।

ଏଥର ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଆଶାୟୀ ପ୍ରାର୍ଥୀମାନଙ୍କୁ ଚୟନ କରିବା ନିମନ୍ତେ ଅନେକ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି । ଯେଉଁଥିପାଇଁ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଯାଇଥିବା ବେଳେ ଏପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । କିନ୍ତୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏପର୍ଯ୍ୟନ୍ତ ନିଜର ୭୨ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।

ତେବେ ଚଳିତ ଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି ବ୍ୟତୀତ ସମାଜବାଦୀ ପାର୍ଟି ଏବଂ ଗୋଣ୍ଡବାନା ଗଣତନ୍ତ୍ର ପାର୍ଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ମଧ୍ୟପ୍ରଦେଶରେ ପାଖାପାଖି ୧୫ ପ୍ରତିଶତ ମତଦାତା ଅନୁସୂଚିତ ଜାତି ଏବଂ ଜନଜାତିର ଅଟନ୍ତି । ଏଠାକାର ସମୁଦାୟ ୨୩୦ଟି ସିଟ୍ ମଧ୍ୟରୁ ୩୫ଟି ଆସନ ସଂରକ୍ଷିତ ଅଟେ । ଯେଉଁଥିରୁ ୨୯ଟି ଆସନରେ ବିଜେପି କବଜା କରିରଖିଛି । ଆଉ ଏଥିରେ ବହୁଜନ ସମାଜପାର୍ଟି କଡା ଟକ୍କର ଦେବାର ସମ୍ଭାବନା ମଧ୍ୟ ରହିଛି ।