ରାଜଧାନୀ ରାଜରାସ୍ତାରେ କ୍ଷୀର କାଣ୍ଡ : ଓମଫେଡ ଚାଷୀ ମୁହାଁମୁହିଁ ଫର୍ଦ୍ଦରେ ଯୋଡି ହେଉଛି ନୂଆ ଅଧ୍ୟାୟ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତେଜିଲା ଓମଫେଡ ବିରୋଧୀ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, କଲେ ପ୍ରତିବାଦ । ରାଜଧାନୀରେ କ୍ଷୀର ଢାଳି ଆସିଥିଲେ ପ୍ରତିବାଦ କରିବାକୁ, ହେଲେ ଶେଷରେ ଅଭିନବ ଉପାୟ ଆପଣାଇ ଲୋକଙ୍କୁ କ୍ଷୀର ବାଂଟିଲେ ଆଉ ସରକାରୀ ନିଷ୍ପତିର ବିରୋଧ କଲେ । ରାଜ୍ୟରେ ଗତ କିଛି ଦିନ ଧରି ବିଭିନ୍ନ ଅଂଚଳରେ କ୍ଷୀର ଢାଲି ଓମଫେଡର କ୍ଷୀର ସଂଗ୍ରହ ସିଲିଂ ନିଷ୍ପତିକୁ ଚାଷୀ ବିରୋଧ କରି ଆସୁଛନ୍ତି । ଏହାରି ଭିତରେ ବଢୁଥିବା ବିବାଦକୁ ଆଖି ଆଗରେ ରଖି ବିଷ୍ଣୁପଦ ସେଠୀଙ୍କୁ ଓମଫେଡ ପଦରୁ ସରକାର ବାଦ ଦେଇଛନ୍ତି । ତାଙ୍କ ସ୍ଥାନରେ ଖାଦ୍ୟ ଓ ଯୋଗାଣ ସଚିବ ମଧୁସୁଦନ ପାଢୀ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ହେଲେ ପଦକୁ ଆସିବା ଆଗରୁ ତାଙ୍କ ସାମ୍ନାରେ ରହିଛି ଅନେକ ଚାଲେଂଜ ।

ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକୁଥିବା ଚାଷୀ ଆନ୍ଦୋଳନ କିଭଳି ପ୍ରଶମିତ କରିବେ? କ୍ଷୀର ସଂଗ୍ରହ ସିଲିଂ ପରିବର୍ତ୍ତନ ବାବଦରେ କିଛି ନିଷ୍ପତ୍ତି ନେବେ କି? କିଭଳି ଓମଫେଡର ଗୁଣାତ୍ମକ ମାନକୁ ବଢାଯିବ ଓ ବଜାରରେ ପୁଣି ଆସ୍ଥାଭାଜନ ହୋଇପାରିବ? ଚାଷୀ ଠାରୁ ସଂଗ୍ରୃହୀତ କ୍ଷୀରର ମାନ ସହ ହେଉଥିବା ସାଲିସକୁ କିଭଳି ରୋକାଯିବ? ଆଉ ଏହି ସବୁ ଚାଲେଂଜକୁ ସଫଳତାର ସହ ମୁକାବିଲା କରିବା ତାଙ୍କ ସମ୍ନାରେ ହେବ ବଡ ଆହ୍ୱାନ ।

ଗତ ମାର୍ଚ୍ଚ ୩୧ରେ ସରକାରଙ୍କ ଚିଠିକୁ ନେଇ ଓମଫେଡ ଓ ଦୁଗ୍ଧ ଚାଷୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା । କ୍ଷୀର ସଂଗ୍ରହକୁ ପାଖାପାଖି ୩୧% ହ୍ରାସ କରିବାକୁ ଏଥିରେ ଉଲ୍ଲେଖ ଥିଲା । ଫଳରେ ଚାଷୀଙ୍କ ଠାରୁ ଦୈନିକ ପାଖାପାଖି ୨ ଲକ୍ଷ ଲିଟର କ୍ଷୀର ସଂଗ୍ରହ ବନ୍ଦ ହୋଇଗଲା । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ । ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡିଶା ଯାଏଁ, ସବୁଠି ରାସ୍ତାରେ କ୍ଷୀର ଢାଳି କରାଗଲା ପ୍ରତିବାଦ । ଆଉ ଏହାରି ଭିତରେ କଂଟକିତ ଆସନର ଭାର ପଡିଲା ମଧୁ ପାଢୀଙ୍କ ହାତରେ । ନଜର ବିବାଦ ସମାଧାନ ହେଉଛି, ନା ଆଗକୁ ଉଗ୍ରରୂପ ଧାରଣ କରୁଛି ।