ଉଦଘାଟନୀ ଉତ୍ସବରେ ପ୍ରଦର୍ଶିତ ହେଲା ମାଧୁରୀଙ୍କ ମନଛୁଆଁ ନୃତ୍ୟ : ୧୧ଶହ କଳାକାରଙ୍କ ମଝିରେ ମଦର ଆର୍ଥ ଭାବେ ନଜର ଆସିଲେ ଧକ୍ ଧକ୍ ଗାର୍ଲ

428

କନକ ବ୍ୟୁରୋ : ଉଦଘାଟନୀ ଉତ୍ସବରେ ଦେଖିବାପାଇଁ ମିଳିଛି ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ମନଛୁଆଁ ନୃତ୍ୟ । ୧୧ ଶହ କଳାକାରଙ୍କ ମଝିରେ ମଦର ଆର୍ଥ ଭାବେ ନଜର ଆସିଲେ ମାଧୁରୀ । ନିଜର ନୃତ୍ୟ ମାଧ୍ୟମରେ ବିଶ୍ୱକୁ ଏକତା ବାର୍ତ୍ତା ଦେଲେ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗୀତରେ ନାଚିଛନ୍ତି ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଥିଲେ ଧକ୍ ଧକ୍ ଗର୍ଲ ।

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼ ପ୍ରତିଯୋଗିତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ବଲିଉଡ ବାଦଶାହା ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହେମାନଙ୍କ ସହ ବିଶ୍ୱ ହକିର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତିରେ ୨୦୧୮ ବିଶ୍ୱକପ୍ ହକିର ବିଗୁଲ୍ ବାଜିଛି ।

HOCKEY WORLD CUP

ଦୁନିଆର ଶ୍ରେଷ୍ଠ ୧୬ଟି ଦଳ, ୧୦ ହଜାରରୁ ଅଧିକ ଦର୍ଶକ, ହଜାର ହଜାର କଳାକାର ଏବଂ ଟିଭି ଜରିଆରେ ଦେଖୁଥିବା ଅଗଣିତ ଦର୍ଶକ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଛନ୍ତି । ମୁମ୍ବାଇ ଏବଂ ଦିଲ୍ଲୀ ପରେ ଦେଶର ନୂଆ କ୍ରୀଡ଼ା କ୍ୟାପିଟାଲ୍ କୁହାଯାଉଥିବା ଭୁବନେଶ୍ୱର, ବିଶ୍ୱ ହକିର ସବୁଠୁ ବଡ ହକି ଇଭେଂଟ୍କୁ ଆୟୋଜନ କରୁଛି । ଉଦଘାଟନୀ ସହ ବିଶ୍ୱକପ୍ ହକିର ବିଗୁଲ୍ ବାଜିଥିବା ବେଳେ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ୍ ଏହି ଐତିହାସିକ ମୁହୂର୍ତର ଆଉ ଏକ ସାକ୍ଷୀ ପାଲଟି ଯିବ ।

କାରଣ ଆସନ୍ତାକାଲି କଟକରେ ମଧ୍ୟ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆଉ ତାପରେ ଆରମ୍ଭ ହେବ ଅସଲ ମୁକାବିଲା । ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ବିଶ୍ୱ ବିଜେତା ହେବା ପାଇଁ କଳିଙ୍ଗ ମୈଦାନରେ କରିବେ ଲଢ଼େଇ । ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ୍ ଏବଂ କାନାଡ଼ା । ସେହିପରି ଗ୍ରୁପ୍ ପର୍ଯ୍ୟାୟର ଆଉ ଏକ ମ୍ୟାଚରେ ଘରୋଇ ଭାରତୀୟ ଦଳକୁ ଭେଟିବ ଦକ୍ଷିଣ ଆଫ୍ରିକା ।