ଓଡିଶାରେ ହକି ବିଶ୍ୱକପ୍ ନେଇ ଶାହାରୁଖ ଏବଂ ମାଧୁରୀଙ୍କ ଟୁଇଟ୍

ଟିମ୍ ଇଣ୍ଡିଆକୁ ମଧ୍ୟ ଚିଅର୍ ଅପ୍ କରିଛନ୍ତି ଶାହରୁଖ

578

କନକ ବ୍ୟୁରୋ: ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପରେ ଧନ୍ୟବାଦ ଜଣାଇଛନ୍ତି ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷୀତ । ବାଦଶାହ ଶାହରୁଖ ଖାନ୍ ଓଡ଼ିଶାବାସୀଙ୍କ ପ୍ରେମ ଓ ଶ୍ରଦ୍ଧା ପାଇଁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି । ଟିମ୍ ଇଣ୍ଡିଆକୁ ମଧ୍ୟ ଚିଅର୍ ଅପ୍ କରିଛନ୍ତି ଶାହରୁଖ ଖାନ ।

ସେହିପରି ମାଧୁରୀ ମଧ୍ୟ ଓଡ଼ିଶାବାସୀଙ୍କ ପ୍ରେମ ଓ ସମ୍ମାନ ପାଇଁ ଧନ୍ୟବାଦ ଜଣାଇବା ସହ ହକି ବିଶ୍ୱକପର ଗ୍ରାଣ୍ଡ ଓପନିଂ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ହକି ଟିମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମାଧୁରୀ ।

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦ୍ଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼ ପ୍ରତିଯୋଗିତାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବରେ ଉଦ୍ଘାଟନ କରିଛନ୍ତି । ବଲିଉଡ ବାଦଶାହା ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହେମାନଙ୍କ ସହ ବିଶ୍ୱ ହକିର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତିରେ ୨୦୧୮ ବିଶ୍ୱକପ୍ ହକିର ବିଗୁଲ୍ ବାଜିଛି । ଜୟ ହିନ୍ଦ୍ହିନ୍ଦ୍, ଜୟ ଇଣ୍ଡିଆର ନାରାରେ ଗୁଂଜରିତ ହୋଇଛି କଳିଙ୍ଗ ଷ୍ଟାଡିୟମ । ଦୁନିଆର ଶ୍ରେଷ୍ଠ ୧୬ଟି ଦଳ, ୧୦ ହଜାରରୁ ଅଧିକ ଦର୍ଶକ, ହଜାର ହଜାର କଳାକାର ଏବଂ ଟିଭି ଜରିଆରେ ଦେଖୁଥିବା ଅଗଣିତ ଦର୍ଶକ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଛନ୍ତି ।

ଉଦ୍ଘାଟନୀ ଉତ୍ସବରେ ବଲିଉଡ ବାଦଶାହାଙ୍କ ଜଲୱା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ହକିର ଏହି ବର୍ଣ୍ଣାଢ଼୍ୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ ଓ ସ୍କୁଲ ଦିନର ସ୍ମୃତିକୁ ତାଜା କରି ଦେଇଥିଲେ ଶାହାରୁଖ୍ ଖାନ୍ । ନବୀନ ପଟ୍ଟନାୟକ ସ୍କୁଲ ଦିନରେ ହକି ଖେଳୁଥିଲେ ଏବଂ ସ୍କୁଲ ଟିମ୍ରେ ଗୋଲ କିପର ଥିବା କଥାକୁ ମଂଚ ଉପରେ ବାଂଟିଥିଲେ ଶାହାରୁଖ୍ । ସେହିପରି ଯୁବପୀଢ଼ିଙ୍କୁ ହକି ଖେଳିବାକୁ ପରାମର୍ଶ ଦେବା ସହ ସମର୍ଥକଙ୍କୁ ପ୍ରରଣାଦାୟୀ ବାର୍ତା ଦେଇ କହିଛନ୍ତି- ଦେଶର ଶ୍ରେଷ୍ଠ ହକି ଖେଳାଳି ସୃଷ୍ଟି କରିଥିବା ଭୂମି ହେଉଛି ଓଡ଼ିଶା ଏବଂ ଶେଷରେ ଚକ୍ ଦେ’ ଇଣ୍ଡିଆର ଡାଇଲଗ୍ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ ।

ସେହିପରି ମାଧୁରୀଙ୍କ ମନଛୁଆଁ ନୃତ୍ୟରେ ଝୁମିଥିଲେ ଦର୍ଶକ । ୮ଶହ କୁନି କଳାକାରଙ୍କ ମଝିରେ ମଦର ଆର୍ଥ ହୋଇ ବିଶ୍ୱକୁ ଏକତାର ବାର୍ତା ଦେଇଥିଲେ ବଲିଉଡ୍ର ଧକ୍ ଧକ୍ ଗାର୍ଲ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିଥିଲେ ମାଧୁରୀ ଦୀକ୍ଷିତ । ଏହାର ନିର୍ଦ୍ଦେଶନା ଦେଇଥିଲେ ନୁପୁର ମହାଜନ । ଦେଶୀ ଓ ବିଦେଶୀ ଫର୍ମରେ ନୃତ୍ୟ ପରିବେଶଣ କରିଥିଲେ ମାଧୁରୀ ଏବଂ ତାଙ୍କ ଟିମ୍ ।